ଖୋଲମଖୋଲା ଆଚରଣବିଧି ଉଲଂଘନ କରୁଛି ବିଜେଡିି, ସବୁ ଜାଣିଶୁଣି ଜିଲ୍ଲା ପ୍ରଶାସନ ଚୁପ୍
ବାଲେଶ୍ୱର : ସଦର ନିର୍ବାଚନ ମଣ୍ଡଳୀରେ ଖୋଲମଖୋଲା ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି ବିଜେଡି ବୋଲି ଆଜି ଏକ ଲିଖିତ ଅଭିଯୋଗ ନେଇ ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛି । ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତେ୍ୱ ସଦର ବ୍ଲକର ବିଭିନ୍ନ ସ୍ଥାନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଭୟ ସାଂସଦ ଓ ସ୍ଥାନୀୟ ବିଧାୟକ ବିଭିନ୍ନ ସରକାରୀ କାର୍ଯ୍ୟ ରାତିଅଧିଆ କରୁଛନ୍ତି । ଶ୍ରୀକୋଣା, ସିନ୍ଧିଆ, ଦୁବଲାଗଡି, ବାହାବଳପୁର, ରାଇସୁଁଆ ଆଦି ପଞ୍ଚାୟତରେ ଲାଗୁଛି ଏଲ.ଇ.ଡି ଷ୍ଟ୍ରିଟ ଲାଇଟ ଯାହାକି ନିର୍ବାଚନୀ ଆଚରଣ ବିଧିକୁ ଉଲଂଘନ କରୁଛି । ଆସନ ପରାଜୟରେ ଭୟଭୀତ ହୋଇ ତିତଲି, ଜି.ଜି.ୱାଇ, ଆମ ଗାଁ ଆମ ବିକାଶ ଭଳି ଯୋଜନାରେ ଗୋପୀନାଥପୁର, ଓଲନ୍ଦା ସାରଗାଁ ପଞ୍ଚାୟତରେ ରାତିଅଧିଆ କାର୍ଯ୍ୟ ହେବାର ପ୍ରମାଣ ମିଳିଛି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଅଙ୍ଗନୱାଡି ଦିଦି, ଆଶା କର୍ମୀଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡି । ଏ ସମସ୍ତ ବିଷୟ ବସ୍ତୁର ଉଚିତ ପ୍ରମାଣ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳକଙ୍କୁ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ସଦର ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାପାଳ ଅଫିସ ମଧ୍ୟ ଘେରିବ ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଥିଲେ । ଅନ୍ୟ ପ୍ରତିନିଧି ମାନଙ୍କ ମଧ୍ୟରେ ସୀତାକାନ୍ତ ସ୍ୱାଇଁ, ଚିତ୍ତରଞନ ପଣ୍ଡା, ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ଆଶିଷ ବାର୍ନାଜୀ, କାର୍ତ୍ତିକ ଚନ୍ଦ୍ର ରାଉତ, ବିସ୍ମିତ ଦାସ, ଶୋଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


