ସ୍କୁଲ ଆସୁନାହାନ୍ତି ଶିକ୍ଷକ, ହୋଇ ପାରୁନି ଶିକ୍ଷାଦାନ
ହାଟଡିହି (ଓ୍ବାଇଏନଏସ): ଦୁଇ ଦିନ ହେଲା ଖୋଲିଲାଣି ସ୍କୁଲ, କିନ୍ତୁ ଶିକ୍ଷକଙ୍କ ଦେଖା ଦର୍ଶନ ନାହିଁ, ଛାତ୍ରଛାତ୍ରୀ ମାନେ ବସି ବସି ଘରକୁ ଫେରୁଛନ୍ତି, ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ କୁଆଡ଼ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ଥିବା ବେଳେ ୪୦ ପାଖାପାଖି ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି। ଏଠାରେ ଦୁଇଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ପାଇଁ ନିଯୁକ୍ତ ଥିବାବେଳେ ଶିକ୍ଷକ ମଣ୍ଟୁ ଜେନା ସ୍କୁଲ ଆସୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ଶିକ୍ଷୟତ୍ରୀ ଜଣକ ବିଏଲ ଓ ଦାୟିତ୍ୱରେ ଥିବାବେଳେ ଏସ.ଆଇ.ଆର କାମରେ ନିଯୁକ୍ତ ଥିବାରୁ ସେ ଶିକ୍ଷାଦାନ ସହିତ ବିଏଲ ଓ ଦାୟିତ୍ୱ ସମ୍ପାଦନ କରିବା ସମ୍ଭବପର ହେଉନି। ଆଜି ଅନେକ ଗ୍ରାମବାସୀ ଏନେଇ ଅଭିଯୋଗ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନପାଇ ଫେରି ଯାଇଛନ୍ତି। ସେମାନଙ୍କ କହିବା କଥା ଯେ କେବଳ ଆଜି କାଲି ନୁହେଁ ପୂର୍ବରୁ ମଧ୍ୟ ଶିକ୍ଷକ ଜଣଙ୍କ ମାସରେ ଥରେ ଅଧେ ଆସନ୍ତି। ଶିକ୍ଷୟତ୍ରୀ ଜଣଙ୍କ ପାଞ୍ଚୋଟି ଯାକର ଶ୍ରେଣୀର ଛୁଆଙ୍କୁ ଏକାଠି ବସାଇ ମାଧ୍ୟାନ୍ନ ଭୋଜନ ଦେଇ ବିଦା କରନ୍ତି। ତେଣୁ ଶିକ୍ଷକ ଯଦି ଏପରି ଅନୁପସ୍ଥିତ ରୁହନ୍ତି ତେବେ ପିଲାମାନେ କଣ ପାଠ ପଢିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ମଧ୍ୟ ବିଇଓଙ୍କୁ ଟେଲିଫୋନ ଯୋଗେ ଅଭିଯୋଗ କରିଥିଲେ ବି କିଛି ପଦକ୍ଷେପ ନିଆ ଯାଇନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏବିଇଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଉକ୍ତ ଶିକ୍ଷକ ଜଣକ ନିଲମ୍ବିତ ହୋଇ ରହିଥିବା ବେଳେ ସେଠାକୁ ଶିକ୍ଷାଦାନ ପାଇଁ ପଠା ଯାଇଥିଲା। କିନ୍ତୁ ସେଠାକୁ ସେ ଠିକରେ ଯାଉ ନଥିବା ଅଭିଯୋଗ ପାଇଛି। ଆଜି ସେହି ବିଦ୍ୟାଳୟ ର ଶିକ୍ଷୟତ୍ରୀ ଜଣକ ମଧ୍ୟ ମୋତେ ଜଣାଇ ଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ କଥାହୋଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


