ଭାଗବତ ଟୁଙ୍ଗିର ବାର୍ଷିକୋତ୍ସବ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ଅନ୍ତର୍ଗତ ସିଙ୍ଗାରି ଗ୍ରାମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଆଦିତ୍ୟ ବାହିନୀ ମୁନିଗୁଡା ଶାଖା ଦ୍ବାରା ଗଠିତ ଏବଂ ଶୀତଳଷଷ୍ଠୀ ଅବସରରେ ଶ୍ରୀରାଧାମାଧବ ଭାଗବତ ଟୁଙ୍ଗିର ୧୩ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାତଃରେ କାଳରେ ମହିଳା ମାନଙ୍କ ଦ୍ୱାରା ଗଙ୍ଗା ଆବାହନ ଓ କଳସ ଯାତ୍ରା ପରେ ବୈଦିକ ରୀତିନୀତି ଅନୁସାରେ କଳସ ସ୍ଥାପନ,ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ,ତୁଳସୀ ଅର୍ପଣ,ସାମୁହିକ ହନୁମାନ ଚାଳିଶା ପଠନ,ଭଜନ ସଂକୀର୍ତ୍ତନ ସହ ବିଭିନ୍ନ ପୂଜାର୍ଚନା ସମ୍ପର୍ଣ ହେବାପରେ ସମସ୍ତ ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ଯଜ୍ଞ ସମ୍ପାଦିତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବକୁ ପୁରହିତ ସୁଦାମ ଚରଣ ରଥ ଓ ମୋହନ ଦାସଙ୍କ ପୌରାହିତ୍ୟରେ ସମସ୍ତ ପୂଜାର୍ଚନା ଅନୁଷ୍ଠିତ ହୋଇଥିବା ବେଳେ ଭାଗବତ ଗୀତା ପ୍ରଚାରକ ବଂଶୀଧର ନନ୍ଦ ଓ ସିମାଞ୍ଚଳ କାଶୀ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁନିଗୁଡା ଆଦିତ୍ୟ ବାହିନୀ ଶାଖାର ସଭାପତି ଟଙ୍କଧର ଗାଜିବିଲି,ସମ୍ପାଦକ ପି.ସୁଧାକର ପାତ୍ର,ଉପ ସଭାପତି ଜାମି.ମହେଶ,ଦୁର୍ଯୋଧନ ଦାସ, ତରଣି ବେହେରା,ଆନନ୍ଦ ପଣ୍ଡୁ, ଯୁଧିଷ୍ଟିର ସାହୁ ପ୍ରମୁଖଙ୍କ ସମେତ ଗୋବର୍ଦ୍ଧନ ଭାଗବତ ଟୁଙ୍ଗି, ଭୈରବଗଡ଼ ଭାଗବତ ଟୁଙ୍ଗିର କର୍ମକର୍ତାଙ୍କ ସମେତ ଆଖପାଖ ଅଞ୍ଚଳର ଭାଗବତ ଟୁଙ୍ଗିର ପ୍ରମୁଖ କର୍ମକର୍ତ୍ତା, ଭାଗବତ ପ୍ରେମୀ ଓ ଭକ୍ତ ବୃନ୍ଦଙ୍କ ଉପସ୍ଥିତିରେ ସନାତନ ଓ ଗୋ ବଂଶର ସୁରକ୍ଷା ବିଶେଷ ପ୍ରସଙ୍ଗ ଉପରେ ଏବଂ ଆଗାମୀ କାର୍ଯ୍ୟକ୍ରମ ଗୁଡିକୁ ନେଇ ବିଶେଷ ଆପୋଷ ଆଲୋଚନା କରିଥିଲେ।


