କନ୍ଧମାଳରେ ଅଯୋଗ୍ୟ ତାଲିକାରେ ଯୋଗ୍ୟ ହିତାଧିକାରୀ; ଯାଞ୍ଚ ପ୍ରହସନ କାହା ସ୍ୱାର୍ଥରେ ? 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପଂଚାୟତ ସମିତି କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ ହେବାର ନଅ ମାସ ବିତିଗଲାଣି । ହେଲେ ଯୋଗ୍ୟ ହିିତାଧିକାରୀ ସୁରଥଙ୍କ ମୁଣ୍ଡ ଉପରେ ଏଯାଏ ପକ୍କା ଛାତଟିଏ ହୋଇପାରିନି । ନା’ ନିର୍ଭର ପ୍ରତିଶ୍ରୁତି ମିଳିପାରୁଛି ନା ଯୋଗ୍ୟ ତାଲିକାରେ ସାମିଲ ହୋଇ ପାରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦଳପଡ଼ା ପଞ୍ଚାୟତ ମୁସୁଗୁଡ଼ା ଗ୍ରାମର ସୁରଥ ବେହେରାଙ୍କ କ୍ଷେତ୍ରରେ । ସୁରଥ ପ୍ରଥମେ ‘କ’ ଫର୍ମରେ ଯୋଗ୍ୟ ହିତାଧିକାରୀ ରହିଥିଲେ । ପରବର୍ତ୍ତୀ ସମୟରେ ବ୍ଲକ୍‌ର କର୍ମଚାରୀ ହିତାଧିକାରୀ ଯାଞ୍ଚ୍‌ କରିବାକୁ ଆସି ସୁରଥ ବେହେରାଙ୍କୁ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ କରିଥିଲେ । ଗ୍ରାମ ପଞ୍ଚାୟତ କର୍ମଚାରୀ ସମସ୍ତ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରି ସାରିବା ପରେ ସଂପୂର୍ଣ୍ଣ ଯୋଗ୍ୟ ହିତାଧିକାରୀ ହୋଇଥିବା ସୁରଥ ବେହେରା କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାମ ପଞ୍ଚାୟତରେ ଟଙ୍ଗା ଯାଇଥିବା ଚୂଡ଼ାନ୍ତ ହିତାଧିକାରୀ ତାଲିକା ଦେଖି ବିସ୍ମିତ ହେଲେ । ଏଥିରେ ସେ ଅଯୋଗ୍ୟ ଥିବା ଜାଣି ପାରିଥିଲେ । ଏ ନେଇ ସୁରଥ ତୁରନ୍ତ ଗତ ଫେବ୍ରୁଆରି ୨୪ ତାରିଖରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୦୧୧ ଜନଗଣନା ହିତାଧିକାରୀ ତାଲିକା ଅନୁସାରେ ପ୍ରଦାନ କରା ଯାଉଥିବା ବେଳେ କିଛି ଯୋଗ୍ୟ ହିତାଧିକାରୀ କୌଣସି କାରଣରୁ ବାଦ୍ ପଡ଼ିଯିବା ପରେ ସରକାର ‘କ’ ଫର୍ମ ମାଧ୍ୟମରେ ପୁନର୍ବାର ଆବେଦନ ଗ୍ରହଣ କରିଥିଲେ । ସେହି ସମୟରେ ସୁରଥ ବେହେରାଙ୍କୁ ସରକାରୀ କର୍ମଚାରୀ ହିଁ ଯୋଗ୍ୟ ହିତାଧିକାରୀ ଭାବେ ଚୟନ ସହ ପ୍ରାପ୍ତିସ୍ୱୀକାର ପତ୍ର ପ୍ରଦାନ କରିଥିଲେ ।  ହେଲେ ସୁରଥ ବେହେରାଙ୍କୁ ସରକାରୀ କର୍ମଚାରୀ ଯୋଗ୍ୟ ହିତାଧିକାରୀ କରିଥିବା ବେଳେ ପରବର୍ତ୍ତୀ ସମୟରେ କିଭଳି ସେ ଅଯୋଗ୍ୟ ହୋଇଥିଲେ ତାହା ହିଁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜଣେ ଗରିବ ହିତାଧିକାରୀଙ୍କୁ ଯେଉଁ ସରକାରୀ କର୍ମଚାରୀ ଯାଞ୍ଚ୍‌ କରି ଯୋଗ୍ୟ ଘୋଷଣା କରିବା ପରେ ପୁଣି ଅଯୋଗ୍ୟ କରିଥିଲେ ସେମାନଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ହେଲେ ଯୋଗ୍ୟ ହିତାଧିକାରୀ ଜଣକ ପ୍ରକୃତ ସହାୟତାରୁ ବଞ୍ଚିତ ହୋଇ ସରକାରୀ ଅଫିସକୁ ଦୌଡ଼ିବା ସାର ହେଉଛି। ତେଣୁ ସୁରଥଙ୍କ କ୍ଷେତ୍ରରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ