ବ୍ଳକସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠିତ; ବାଲ୍ୟ ବିବାହ ଓ ନିର୍ଭୟା କଢିକୁ ଗୁରୁତ୍ୱାରୋପ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦେଶ ଓ ରାଜ୍ୟରେ ଅବହେଳିତ ଅବସ୍ଥାରେଜିବଦ ଜୀବିକା ନିର୍ବାହ କରୁଥିବା ଅନାଥ ଶିଶୁ, ବାଲ୍ୟ ବିବାହ ପ୍ରଥା, କନ୍ୟା ସନ୍ତାନ ହ୍ରାସ ଭଳି ଉଦବେଗ ଜନକ ପ୍ରସଙ୍ଗକୁ ଅତି ଭୁରୁତର ଭାବେ ଗ୍ରହଣ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାରରୁ ବଂଚିତ ତଥାନାନା ସମସ୍ୟାର ସମ୍ମୁଖୀନ ହୋଇ ଘୋର ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଏଭଳି ଶ୍ରେଣୀର ଶିଶୁଙ୍କ ସାମଗ୍ରିକ ବିକାଶ ଦିଗରେ ଆରମ୍ଭ କରାଯାଇଛି ବହୁ ଯୋଜନା । ସେଥି ମଧ୍ୟରୁ ବିଜୁ କନ୍ୟା ରତ୍ନ ଯୋଜନା, ବେଟି ବଢାଅ- ବେଟି ପଢାଅ, ମୋ ଗେହ୍ଲା ଝିଅ ଭଳି ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାରେ ଅବହେଳିତ ଥିବା ନାବାଳିକ କନ୍ୟାଙ୍କ ବିକାଶ ସହ ବାଲ୍ୟ ବିବାହ ରୋକିବା ଦିଗରେ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ଭୟ କଢି ଭାବେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରି ଜିଲ୍ଲାରେ ଶତ ପ୍ରତିଶତ ସଫଳତା ହାସଲ କରିବା ଲକ୍ଷ୍ୟରେ ବିଷେଶ ଦୃଷ୍ଟି ପ୍ରଦାନ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।ଏହି ପରିପ୍ରେକ୍ଷୀରେ ଗୁରୁବାର ହିଞ୍ଜିଳିକାଟୁ ବ୍ଳକରେ ଏକ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି । ଗୁରୁବାର ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିନାୟକ ସେଠି ପ୍ରମୁଖ ମଂଚାସିନ ଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ଚାଇଲ୍ଡ ଲାଇନ ସଂଯୋଜକ ସାଇ ପ୍ରସାଦ ସାମଲ ଓ ସଦସ୍ୟ ପ୍ରଣତି କୌର୍ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁ ତଥା ନାବାଳିକା କନ୍ୟାଙ୍କ ଅଧିକାର, ସୁରକ୍ଷା ଓ ବାଲ୍ୟ ବିବାହ ସର୍ମ୍ପକରେ ରହିଥିବା ସରକାରୀ ସହାୟତା ଓ ଆଇନଗତ ପଦକ୍ଷେପ ସର୍ମ୍ପକରେ ମତବ୍ୟକ୍ତ କରିବା ସହ ହିଞ୍ଜିଳି ବ୍ଳକକୁ ବାଲ୍ୟ ବିବାହ ମୁକ୍ତ ବ୍ଳକ ଭାବେ ଗଢି ତୋଳିବା ପାଇଁ ଆହ୍ୱାନ ଜଣାଇଥିଲେ । ପରେ ସ୍ଥାନୀୟ ବ୍ଳକର ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ, ବିଇଓ, ବିପିଏମ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ କୁଳ ସମାଜକୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଅପରାହ୍ନରେ ବ୍ଳକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ମାନେ ପରିଚାଳନା କରିଥିଲେ ।


