କୁରାଢ଼ିରେ ପତ୍ନୀକୁ ହାଣିଲା ମଣିଷମରା ମଦୁଆ ସ୍ବାମୀ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ପୁଣି କଳଙ୍କିତ ହେଲା ସ୍ୱାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ । ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀରଖି ସାତଜନ୍ମ ପାଇଁ ସୁରକ୍ଷା ଦେବାର କଥା ଦେଇ ଅଧାବାଟରେ ହାତ ଛାଡିଲା ସ୍ୱାମୀ । ଦେଇଥିବା କଥା ଭୁଲି ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ୱାମୀ । ନୃଶଂସ ଭାବେ କୁରାଢ଼ିରେ ଛେଚି ହତ୍ୟା କରିଥିବା ଦେଖିବାକୁ ମିଳିଛି ।ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମାଳିହତା ଗ୍ରାମରେ। ତେବେ ଏଠାକାର ବାସିନ୍ଦା ଶିବପ୍ରସାଦ ମହାନ୍ତ(ଶିବୁ) ୫୧ବର୍ଷ ବସବାସ କରିଆସୁଥିଲେ । ବେଶ ହସଖୁସିରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ କିଛିଦିନ ହେବ ତାଙ୍କ ହସଖୁସିର ସଂସାରରେ ଲାଗିଥିଲା ଗ୍ରହଣ । ଆଉ ଶିବପ୍ରସାଦ ମାନସିକ ବିକୃତି ରୋଗରେ ଆକ୍ରାନ୍ତ ହୋଇ ସବୁବେଳେ ପରିବାର ଏବଂ ଜମିବାଡ଼ିକୁ ନେଇ ବିବ୍ରତ ରହୁଥିଲେ । ସେହିପରି ଗୁଣିଗାରେଡି କରୁଥିବା ଯୋଗୁଁ ପ୍ରାୟତଃ ନିଶାସକ୍ତ ରହୁଥିବା କୁହାଯାଉଛି । ତେବେ କାଲି ରାତିରେ ସମସ୍ତେ ଖାଇ ଶୋଇବା ପରେ ଅଚାନକ ଶିବପ୍ରସାଦ ବିଛଣାରେ ଶୋଇଥିବା ସ୍ତ୍ରୀ ମଞ୍ଜଦରୀର ମୁଣ୍ଡକୁ ଲକ୍ଷ୍ୟକରି କୁରାଢୀରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲା । ତେବେ ଅପ୍ରତ୍ୟାଶିତ ଶବ୍ଦ ଶୁଣି ତାଙ୍କର ପୁଅ ଦେଖିଲା ବେଳକୁ କୁରାଢ଼ୀରେ ଛେଚି ବାପା ଶିବପ୍ରସାଦ ମାଆ ମଞ୍ଜଦରୀକୁ ହତ୍ୟା କରିଛନ୍ତି । ଭୟଭୀତ ହୋଇ ପୋଡ଼ଶୀଙ୍କୁ ଡାକିବା ସହିତ ମୋରଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଶିବପ୍ରସାଦକୁ ଗିରଫ କରିବା ସହିତ ବ୍ୟବହୃତ କୁରାଢ଼ୀ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ସେହିପରି କିଛିଦିନ ହେବ କୌଣସି କାରଣରୁ ଶିବପ୍ରସାଦ ମାନସିକ ଭାରସାମ୍ୟ ହରାଇ ଏପଟସେପଟ କଥାବାର୍ତ୍ତା କରିବା ସାଙ୍ଗକୁ ସବୁବେଳେ ନିଶାସକ୍ତ ରହୁଥିବା କହିଛନ୍ତି ପରିବାରର ସଦସ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ