ଘରୁ ନିଖୋଜ ବୃଦ୍ଧା ଙ୍କ ଶବ ମାଟି ତଳୁ ଉଦ୍ଧାର ; ଗୁଣିଆ ସନ୍ଦେହରେ ବେକ ଚିପି କରାଯାଇଥିଲା ହତ୍ୟା
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁ ର ସାଇବାଣୀ ମଲ୍ଲିକ ନାମକ ଜଣେ ଭିନ୍ନକ୍ଷମ ବୃଦ୍ଧା ଗତ ଅକ୍ଟୋବର ୮ ତାରିଖରୁ ତାଙ୍କ ଘରୁ ଆକସ୍ମିକ ନିଖୋଜ ଥିଲେ । ତାଙ୍କ ଗଳିତ ମୃତଦେହ କୁ ଗାଁ ନିକଟ ନିଘଞ୍ଚ ଜଙ୍ଗଲ ର ମାଟି ତଳୁ ପୋଲିସ ରବିବାର ସକାଳେ ଉଦ୍ଧାର କରିଛନ୍ତି । ତାଙ୍କୁ ଗୁଣିଆ ସନ୍ଦେହରେ ଗ୍ରାମର କିଛି ବ୍ୟକ୍ତି ଘରେ ପଶି ହତ୍ୟା କରିବାପରେ ଶବ କୁ ମାଟି ଖୋଳି ପୋତି ଦେଇଥିଲେ। ଗାଁ ଲୋକଙ୍କ ଜାଣତରେ ସମସ୍ତ ଘଟଣା ଘଟିଥିଲେ ମଧ୍ୟ କଥା ପ୍ରଘଟ ହୋଇନଥିଲା। ଅକ୍ଟୋବର ୧୦ ତାରିଖରେ ନୂଆବନ୍ଧପଲ୍ଲୀ ଗାଁ ରେ ରହୁଥିବା ସାଇବାଣୀ ଙ୍କ ଝିଆରୀ ହେମ ମଲ୍ଲିକ ପିୟୁସି ନାନୀ ଙ୍କ ଘରକୁ ବୁଲି ଆସିଥିବା ବେଳେ ତାଙ୍କ ଘର ଖୋଲା ମେଲା ଥିଲା । ପିୟୁସି ନାନୀ ସାଇବାଣୀ ଘରେ ନଥିଲେ। ସାହି ପଡୋଶୀ ଙ୍କୁ ପଚାରିବାରୁ ସେମାନେ କିଛି କହିନଥିଲେ । ଏନେଇ ସେ ଦିଗପହଣ୍ଡି ଥାନାରେ ପହଞ୍ଚି ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ।ପୋଲିସ ନିଖୋଜ ମାମଲା ନଂ.୨୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଗ୍ରାମର କିଛି ଯୁବକଙ୍କୁ ସନ୍ଦେହ ରେ ଥାନାକୁ ଡାକି ଆଣି ପଚରା ଉଚୁରା କରିବା ପରେ ରହସ୍ୟଜନକ ନିଖୋଜ ଘଟଣାର ଅନ୍ତରାଳ ରେ ଛପି ରହିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇପାରିଥିଲା । ସାଇବାଣୀ ଜନ୍ମରୁ ଭିନ୍ନକ୍ଷମ ଥିବାରୁ ବିବାହ କରିନଥିଲେ । ପିଲାଟି ଦିନରୁ ସେ ଠାକୁର ପୂଜାକୁ ଭଲ ପାଉଥିଲେ । ସେ ନିଜକୁ ଦେବୀ ସାଧକ ଭାବେ ଗାଁ ରେ ପରିଚିତ କରାଇଥିଲେ । ଝଡା ଫୁଙ୍କା ମଧ୍ୟ କରୁଥିଲେ। ଗତ କିଛି ବର୍ଷ ମଧ୍ୟରେ ଗାଁ ର ବହୁ ସଂଖ୍ୟକ ଶିଶୁ ଓ କିଛି ମହିଳା ବିଭିନ୍ନ ଦୁରା ରୋଗରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିବା ପରେ ତନ୍ତ୍ର ମନ୍ତ୍ର ଗୁଣି ଗାରେଡ଼ି ପ୍ରଭାବରେ ଏସବୁ ମୃତ୍ୟୁ ଘଟୁଥିବା ଗାଁ ରେ ପ୍ରଚାରିତ ହୋଇଥିଲା । କିଛି ଲୋକ ଅନ୍ଧ ବିଶ୍ବାସର ବଶ ବର୍ତ୍ତୀ ହୋଇ ଗାଁରେ ସଭା ଡକାଇବା ସହ ଗାଁରେ ଗୁଣିଆ ଚିହ୍ନଟ ପାଇଁ ଅନ୍ୟଏକ ଗାଁ ର ଜଣେ ତାନ୍ତ୍ରିକ ଙ୍କ ସହାୟତା ନେଇଥିଲେ । ଗାଁ ରେ ଜଣେ ମହିଳା ତନ୍ତ୍ର ବିଦ୍ୟା କରୁଥିବା ସେ କହିବାରୁ ସାଇବାଣୀ ଙ୍କ ଉପରେ ସମସ୍ତଙ୍କ ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା । ପରେ ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ହତ୍ୟା କରାଯାଇଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା , ଚିକିଟି ଏସ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ, ଆଇ ଆଇ ସି ବସନ୍ତ କୁମାର ସେଠୀ ଏବଂ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ଜବତ ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହେମଲତା ଙ୍କ ୨ ୟ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୭୮/୨୦ ଦଫା – ୩୦୨/୨୦୧/୩୪ ଆଇ ପି ସି ସମେତ ଗୁଣି ସନ୍ଦେହରେ ନିର୍ଯ୍ୟାତନା ନିରୋଧ ଆଇନ ର ଧାରା – ୩ ଓ ୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଃହାତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଆଇ ଆଇ ସି ଜଣାଇଛନ୍ତି ।


