ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାହ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପଂଚାୟତ ସମିତିର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ର୍ରାଷ୍ଟ୍ରୀୟ ପୋଷଣ ମାହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବା ପ୍ରଦାନର ଦାୟିତ୍ୱବୋଧତା ସମ୍ପର୍କରେ ପରାମର୍ଶ ଦେଇ ଆଗାମୀକାଲିର ଭବିଷ୍ୟତ କୁନି କୁନି ପିଲାମାନଙ୍କୁ କୁପୋଷଣରୁ ରକ୍ଷା ନିମିତ୍ତ ଆମର ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ କରିବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆମର ଉତ୍ତର ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ କଲେ କୁପୋଷଣ ମୁକ୍ତ ଶିଶୁ ଓ ମା’ଙ୍କ ଭଳି ସବୁ ସରକାରୀ ଯୋଜନାର ଲକ୍ଷ୍ୟ ପୁରଣ ହୋଇପାରିବ । ଆମର ଆଗାମୀ ପିଢୀଙ୍କୁ ସୁନ୍ଦର ଓ ସ୍ୱାସ୍ଥ୍ୟବାନ କରିବା ପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ସହ ସମସ୍ତଙ୍କୁ ସଚେତନ କରିବାକୁ ଆଗେଇ ଆସିଲେ ଏହି ଯୋଜନା ସଫଳ ହୋଇପାରିବ । ଅନ୍ୟତମ ଅତିଥି ଭାବେ ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଆଲୋକ କୁମାର ମହାନ୍ତି,ଜିଲ୍ଲା ଶିକ୍ଷା ବିଭାଗର ରାମସା ସଂଯୋଜକ ପୀତବାସ ପଣ୍ଡା,କେନ୍ଦ୍ରାପଡା ବିଡିଓ ତଥା ଭାରପ୍ରାପ୍ତ ସିଡିପିଓ ସୁଧିର କୁମାର ସିଂ ପ୍ରମୁଖ ଯୋଗଦେଇ ପିଲାଟି ପାଇଁ ମା’ କ୍ଷୀର ସର୍ବୋତମ ଓ ମା କ୍ଷୀରର ବିକଳ୍ପ ନାହିଁ ବୋଲି କହିବା ସହିତ ଗର୍ଭବତୀ ମା’ ଓ ଶିଶୁ ନିମନ୍ତେ ଆବଶ୍ୟକ ଭିଟାମିନ,ସବୁଜ ପନିପରିବା,ସୁଷମ ଖାଦ୍ୟ,ପିଲାଟିକୁ ଖୋଇବା ପୂର୍ବରୁ ନିଜର ହାତଧୋଇ ସଫା ସୁତରା ସମ୍ପର୍କରେ ସଚେତନ ହେବା ପ୍ରଭୃତି ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ରଥ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ମମତାର ଜିଲ୍ଲା ସଂଯୋଜକ ମନୋରଞ୍ଜନ ଦାସ କୁପୋଷଣରୁ କିଭଳି ଗର୍ଭବତୀ ଓ ପ୍ରସ୍ୁତି ମା’ ସମେତ ଶିଶୁକୁ ମୁକ୍ତ କରାଯାଇ ପାରିବ ସେ ସମ୍ପର୍କରେ ସବିଶେଷ ବୀବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ କୁପୋଷଣମୁକ୍ତ ଉପରେ ପର୍ଯ୍ୟବେଶିତ ପ୍ରବନ୍ଧ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । କୁପୋଷଣରୁ ମୁକ୍ତ ନିମନ୍ତେ ଏବଂ ପୁଷ୍ଟିସାର ଓ ଭିଟାମିନ ଯୁକ୍ତ ବିଭିନ୍ନ ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ଅଙ୍ଗନୱାଡି କର୍ମୀମାନେ ପ୍ରସ୍ତୁତ କରି ଆଣିଥିବା ଏବଂ ଷ୍ଟଲ ଗୁଡିକରେ ସ୍ଥାନ ପାଇଥିବା ଖାଦ୍ୟ ପଦାର୍ଥଗୁଡିକୁ ପରୀକ୍ଷା କରାଯାଇ ସର୍ବୋଚ୍ଚମାନର ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଆଇ.ସି.ଡି.ଏସ.ର ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।