ଛତ୍ରପୁର ଠାରେ ଶଙ୍କର ଭିଜନ୍ କେୟାର୍ ସେଣ୍ଟର ନିମନ୍ତେ ଭୂମିପୂଜା
ଛତ୍ରପୁର,(ଦେବଦତ୍ତ ମହାରଣା):ଛତ୍ରପୁର ଆଖପାଖ ଅଂଚଳର ଜନସାଧାରଣଙ୍କ ହିତ ନିମନ୍ତେ ଆଜି ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆଉ ଏକ ଉତ୍ତମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଛତ୍ରପୁର ଠାରେ ସ୍ଥାୟୀ ଭାବେ ଶଙ୍କର ଭିଜନ୍ କେୟାର ସେଣ୍ଟର ନିର୍ମାଣ କରିବା ନିମନ୍ତେ ଆଜି ଶିବ କୁମାର ପଟ୍ଟନାୟକ ରିଡିଂ ରୁମ୍ ପରିସରରେ ଏହାର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ତଥା ଯୁବ ଆଇନଜୀବୀ ବି. ଶ୍ରୀନିବାସ ଓ ତାଙ୍କ ସହଧର୍ମଣୀ ବି. ଉଷା ଶ୍ରୀନିବାସ ଯୋଗ ଦେଇ ଭୂମିପୂଜା କରିଥିଲେ । ଏହି ଭିଜନ୍ କେୟାର ସେଣ୍ଟର ଫେବ୍ରୁଆରୀ ମାସର ୧୬ ତାରିଖ ଦିନ ଶୁଭାରମ୍ଭ ହେବ ବୋଲି ଉପଦେଷ୍ଟା ବି. ଶ୍ରୀନିବାସ କହିଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଭାବେ ଚାଲୁଥିବା ବେଳେ ଶିବ୍ କୁମାର ପଟ୍ଟନାୟକ ରିଡିଂ ରୁମ୍ କମିଟି ଓ ରିଡିଂ ରୁମ୍ କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାୟୀ ଭାବେ ଭିଜନ୍ କେୟାର ସେଣ୍ଟର ନିର୍ମାଣ କରିବା ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଚିକିତ୍ସାଳୟର କମିଟି ପକ୍ଷରୁ ଗୃହୀତ କରି ଛତ୍ରପୁର ଠାରେ ସ୍ଥାୟୀ ଭାବେ ଭିଜନ୍ କେୟାର ସେଣ୍ଟର କରିବା ନିମନ୍ତେ ଆଗଭର ହୋଇଛନ୍ତି । ଯାହା ଫଳରେ ଛତ୍ରପୁର ଆଖପାଖର ଚକ୍ଷୁ ରୋଗୀମାନେ ଉତ୍ତମ ସେବା ପାଇପାରିବେ ବୋଲି ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।


