ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ

ଭୁବନେଶ୍ୱର,(ୱାଇଏନ୍ଏସ୍): ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇଥିବାର ଖବର ମିଳିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ସହ ସଂପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସୂଚନାଯୋଗ୍ୟ, କଳାଧନର କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କୁ କେମିତି କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ ତାହାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଠକେଇର ଶିକାର ହୋଇଥିବା ଯୁବକଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡ଼ିଛି। ପାଠକଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଉଥିବା କାରଣରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଥିଲା । ଏବେ ଏସ୍‌ଆଇଟି ସେହି ଆଧାରରେ ଆଗକୁ ତଦନ୍ତ କରିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଟାଟା ଗୋପାଳପୁରରେ ଏହାର ଏକ ପ୍ରକଳ୍ପ କରିବା ଲାଗି ଜମି ଅଧିଗ୍ରହଣ କରିଥିଲା। ଜମି ହରାଇ କ୍ଷତିପୂରଣ ପାଇଥିବା ମାଲିକମାନଙ୍କୁ ଜାଲରେ ଫସାଇବା ପାଇଁ ହୋଇଥିଲା ଯୋଜନା। ଏଥିପାଇଁ ଆକାଶକୁ କରାଯାଇଥିଲା ଢାଲ। ଇଞ୍ଜିନିୟରିଂ ଡିଗ୍ରିଧାରୀ ଆକାଶ ପୁନେରେ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ୍ ନାଁରେ ନକଲି ଅଫିସ ଖୋଲିଥିଲା। ନିଜକୁ ଏମ୍‌ଡି ବୋଲି ଦର୍ଶାଇ ଟାଟା ମୋଟର୍ସ ନାଁରେ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା। ଟାଟା ମୋଟର୍ସ ଲୋଗୋ ବ୍ୟବହାର କରି ଚାକିରି ନାଁରେ ବିଜ୍ଞାପନ ଦେଇଥିଲା। ଏହିଠାରେ ହିଁ ଶ୍ରୀ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ସାମ୍ନାକୁ ଆସିଥିଲା । ଜମି ହରାଇଥିବା ମାଲିକଙ୍କମାନଙ୍କୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଭାବିତ କରି ଆକାଶ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସନ୍ଦେହ କରୁଛି ଭିଜିଲାନ୍ସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ