ବିନା ଫଳକ ଓ ନିମ୍ନମାନର କାର୍ଯ୍ୟକୁ ବନ୍ଦ କଲେ ଗ୍ରାମବାସୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନାହୋ ସ୍କୁଲ ପଡିଆ ନିକଟରେ ନିର୍ମାଣାଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେନ୍ଦ୍ରର କାର୍ଯ୍ୟକୁ ଗ୍ରାମବାସୀ ମାନେ ବିରୋଧ ପୂର୍ବକ ବନ୍ଦ କରିଥିବା ଜଣାଯାଇଛି । ଉକ୍ତ ପ୍ରକଳ୍ପର ପାଚେରୀ କାର୍ଯ୍ୟ ନିମ୍ନମାନର ଓ ବିନାଫଳକରେ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଶନିବାର କାର୍ଯ୍ୟ ଚାଳୁଥିବା ବେଳେ ନାହୋ, ଖଡିପୁର ଗ୍ରାମର କିଛି ବ୍ୟକ୍ତି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ ଚାଲୁଥିବା ଗ୍ରାମବାସୀ କହିଛନ୍ତି । ପ୍ରକଳ୍ପ କାର୍ଯ୍ୟରେ ବାଲି, ସିମେଣ୍ଟ ମିଶ୍ରଣରେ ସଠିକତା ନଥିବା ନେଇ ନାରାୟଣ ସେଠୀ, ବିଶ୍ୱମ୍ବର ମହାନ୍ତି, ସଂଜୟ ବିଶ୍ୱାଳ, ଶ୍ରୀକାନ୍ତ ନାୟକ, ମାନସ ଜେନା, ପ୍ରଦୀପ ପ୍ରଧାନ, ବଜ୍ରଜିତ୍ ବିଶ୍ୱାଳ, ଶ୍ରୀକାନ୍ତ ସେଠୀଙ୍କ ସମେତ ବହୁ ବ୍ୟକ୍ତି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ । ପ୍ରକାଶ ଥାଉକି, ଉକ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବା ଫଳରେ ଖଡିପୁର, ନାହୋ ସମେତ ପାଶ୍ୱର୍ବର୍ତ୍ତୀ ଗ୍ରାମର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି ।


