ବ୍ରହ୍ମପୁତ୍ର ନଦୀରେ ‘ସୁପର୍‌ ଡ୍ୟାମ୍‌’ ନିର୍ମାଣ କରିବ ଚୀନ୍

ନୂଆଦିଲ୍ଲୀ: ତିବ୍ଦତ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ସନ୍ନିକଟ ‘ୟାର୍ଲୁଙ୍ଗ୍‌ ଜାଙ୍ଗବୋ’ ନଦୀର ତଳମୁଣ୍ଡରେ ଚୀନ୍‌ ଏକ ‘ସୁପର ଡ୍ୟାମ୍‌’  ନିର୍ମାଣ କରିବ ବୋଲି ରବିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି। ଏଥିଯୋଗୁଁ ଉତ୍ତରପୂର୍ବ ଭାରତର ଜଳ ନିରାପତ୍ତା ବ୍ୟାପକଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛ ‘ତିବେତ୍‌ ଅଟୋନୋମସ୍‌ ରିଜନ୍‌’ରୁ (ଟିଏଆର୍‌) ସୃଷ୍ଟ ‘ୟାର୍ଲୁଙ୍ଗ୍‌ ଜାଙ୍ଗବୋ’ ନଦୀ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବାଂଲାଦେଶକୁ ପ୍ରବାହିତ ହୋଇଯାଇଛି। ଅରୁଣାଚଳ ପ୍ରଦେଶରେ ଏହାର ନାମ ‘ସିଆଙ୍ଗ୍‌’ ହୋଇଥିବା ବେଳେ ଆସାମରେ ଏହାକୁ ‘ବ୍ରହ୍ମପୁତ୍ର’ ବୋଲି କହନ୍ତି। ଏହା ପୂର୍ବରୁ ମଧ୍ୟ ଚୀନ୍‌ ‘ୟାର୍ଲୁଙ୍ଗ୍‌ ଜାଙ୍ଗବୋ’ ନଦୀରେ କେତେଗୁଡ଼ିଏ କ୍ଷୁଦ୍ର ଜଳ ଭଣ୍ଡାର ନିର୍ମାଣ କରିସାରିଛି । ନିର୍ମାଣ ହେବାକୁ ଯାଉଥିବା ଏହି ‘ସୁପର ଡ୍ୟାମ୍‌’ର ଜଳ-ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା କେନ୍ଦ୍ରୀୟ ଚୀନ୍‌ରେ ଥିବା ‘ଥ୍ରି ଗର୍ଜେସ୍‌ ଡ୍ୟାମ୍‌’ର କ୍ଷମତା ଠାରୁ ତିନିଗୁଣ ଅଧିକ ହୋଇପାରେ। ‘ଥ୍ରି ଗର୍ଜେସ୍‌ ଡ୍ୟାମ୍‌’ ହେଉଛି ବିଶ୍ୱର ସବୁଠୁ ଅଧିକ ଜଳ-ବିଦ୍ୟୁତ୍‌ ଉତ୍ପାଦନ ସାମର୍ଥ୍ୟ ଥିବା ଜଳଭଣ୍ଡାର। ରବିବାର ସନ୍ଧ୍ୟାରେ ରାଷ୍ଟ୍ରାୟତ ‘ଟାବଲଏଡ୍‌ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ଏକ ରିପୋର୍ଟରେ କହିଛି, ଭାରତ ଓ ବାଂଲାଦେଶ ଦେଇ ପ୍ରବାହିତ ଏସିଆର ଅନ୍ୟତମ ପ୍ରମୁଖ ଜଳସ୍ରୋତ ‘ୟାର୍ଲୁଙ୍ଗ୍‌ ଜାଙ୍ଗବୋ’ ନଦୀରେ ଚୀନ୍‌ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରିବ।ଅକ୍ଟୋବର ୧୬ ତାରିଖ ଦିନ ‘ଟିଏଆର୍‌’ ସରକାରଙ୍କ ସହ ପାରସ୍ପରିକ ବୁଝାମଣା ମଧ୍ୟରେ ୧୪ଶ ପଞ୍ଚବାର୍ଷିକ ଯୋଜନା ରାଜିନାମା ସ୍ୱାକ୍ଷର କରି ‘ପାଓ୍ଵାର୍‌ କନ୍‌ଷ୍ଟ୍ରକ୍ସନ୍‌ କର୍ପ ଅଫ୍‌ ଚାଇନା’ ବା ‘ପାଓ୍ଵାର୍‌ ଚାଇନା’ ଉକ୍ତ ଜଳ ଭଣ୍ଡାରର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ