ଡିସେମ୍ବର ୫ରେ କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନ
ନୂଆଦିଲ୍ଲୀ: ଅଯୋଗ୍ୟ ଘୋଷିତ ହେବା ପରେ କର୍ଣ୍ଣାଟକ ବିଧାନସଭାରେ ଖାଲି ପଡ଼ିଥିବା ୧୫ଟି ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ନିର୍ବାଚନ ହେବ । ଏଥିସହ ଡିସେମ୍ବର ୯ରେ ହିଁ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ଘୋଷଣା ଅନୁଯାୟୀ, ନଭେମ୍ବର ୧୧ରେ ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ନଭେମ୍ବର ୧୮ ରହିଛି । ନଭେମ୍ବର ୨୧ରେ ନାମାଙ୍କନ ଯାଞ୍ଚ ପ୍ରତ୍ୟାହାର ପାଇଁ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍ତି ।ପୂର୍ବରୁ ନିର୍ବାଚନ କମିଶନ ଅକ୍ଟୋବର ୨୧ରେ କର୍ଣ୍ଣାଟକ ବିଧାନସଭା ଉପ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଗତକାଲି ଅଯୋଗ୍ୟ ଘୋଷିତ ବିଧାୟକଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନ ନେବା ଯାଏ, ଭୋଟ ପ୍ରକ୍ରିୟା ବନ୍ଦ ରଖିବାକୁ କହିଥିଲେ । ଏହି ରୁଲିଂର ଗୋଟିଏ ଦିନ ପରେ ଆଜି ନିର୍ବାଚନ କମିଶନ ଭୋଟ ପାଇଁ ନୂଆ ତାରିଖ ଘୋଷଣା କରିଛନ୍ତି ।


