ଭାରତର କେତେକ ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା
ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଲୋକମାନେ ପସନ୍ଦ କରନ୍ତି । ଦିନକୁ ଦିନ ଭାରତୀୟ ଲୋକଙ୍କ ମଧ୍ୟରେ ବିଦେଶ ଭ୍ରମଣ ଆକାଂକ୍ଷା ବଢ଼ୁଛି । ହେଲେ ଜାଣିଛନ୍ତି କି, ଭାରତରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବିନା ଇନର ଲାଇନ ପରମିଟରେ ଆପଣ ସେଠାକୁ ଯାଇପାରିବେନି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନକୁ ଯିବା ପାଇଁ ଭିଜା ଲାଗିଥାଏ ।
ଅରୁଣାଚଳ ପ୍ରଦେଶ: ପାର୍ବତ୍ୟାଞ୍ଚଳ ଅରୁଣାଚଳ ପ୍ରଦେଶ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଅବସ୍ଥିତ । ଏହାର ପଶ୍ଚିମରେ ଭୁଟାନ, ପୂର୍ବରେ ମ୍ୟାନ୍ମାର ଓ ଉତ୍ତରରେ ଚାଇନା ସହ ଅନ୍ତର୍ଜାତୀୟ ସୀମା ଲାଗି ରହିଛି । ଦେଶର ଅନ୍ୟ ରାଜ୍ୟରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଇନର୍ ଲାଇନ ପରମିଟ୍ ଅପରିହାର୍ଯ୍ୟ । ଏହି ପରମିଟ ବା ଭିଜା ସେଠାକାର ରେଜିଡେଣ୍ଟ କମିଶନରଙ୍କଠାରୁ ନେବାକୁ ପଡ଼ିଥାଏ । ଆଉ ଏହି ପରମିଟ୍ ପାଇଁ କୋଲକାତା, ନୂଆଦିଲ୍ଲୀ, ଶିଲଂ ଓ ଗୁଆହାଟୀରେ ଥିବା କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡ଼ିଥାଏ । ଅନ୍ଲାଇନ୍ରେ ମଧ୍ୟ ଲୋକେ ଆବେଦନ କରିପାରିବେ । ଏଠାକୁ ବୁଲିଆସିବା ପାଇଁ ଲୋକଙ୍କ ପରିଚୟପତ୍ର ନିହାତି ଜରୁରୀ । ଯେପରିକି ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍ପୋର୍ଟ ବା ଭୋଟର କାର୍ଡ ଏବଂ ପାସ୍ପୋର୍ଟ ସାଇଜ୍ ଫଟୋ ।
ମିଜୋରାମ: ମିଜୋରାମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପାହାଡ଼କୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏଠାରେ ବହୁ ଜନଜାତି ବାସ କରନ୍ତି । ଏହି ରାଜ୍ୟ ବାଂଲାଦେଶ ଓ ମ୍ୟାନ୍ମାରର ଅନ୍ତର୍ଜାତୀୟ ସୀମା ସହ ସଂଯୁକ୍ତ । ମିଜୋରାମରେ ପ୍ରବେଶ କରିବା ପାଇଁ ଇନର ଲାଇନ ପରମିଟ ଆବଶ୍ୟକ ପଡ଼ିଥାଏ । ଏହି ପରମିଟ ମିଜୋରାମ ସରକାରଙ୍କ ସମ୍ପର୍କ ଅଧିକାରୀ ଦେଇଥାନ୍ତି । ପରମିଟ ପାଇଁ ଲୋକମାନେ କୋଲକାତା, ସିଲଚର, ଶିଲଂ, ଗୁଆହାଟୀ ଓ ନୂଆଦିଲ୍ଲୀରେ ଥିବା କାର୍ଯ୍ୟାଳୟକୁ ଆବେଦନ କରିବାକୁ ପଡ଼ିଥାଏ । ବିମାନ ପର୍ଯ୍ୟଟକଙ୍କୁ ଲେଙ୍ଗପୁଇ ବିମାନବନ୍ଦର ଓ ଆଇଜଲରେ ପହଞ୍ଚିବା ପରେ ସୁରକ୍ଷା ଅଧିକାରୀଙ୍କଠାରୁ ପାସ୍ ନେବାକୁ ପଡ଼ିଥାଏ । ପର୍ଯ୍ୟଟକମାନେ ସାଙ୍ଗରେ ପରିଚୟ ପତ୍ରର ଜେରକ୍ସ ଓ ୪ଟି ପାସ୍ପୋର୍ଟ ଫଟୋ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ।
ନାଗାଲାଣ୍ଡ: ନାଗାଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିଲେ ଲୋକମାନେ ଭାବବିହ୍ୱଳ ହୋଇଯାଆନ୍ତି । ଏଠାରେ ୧୬ଟି ରୀତିନୀତି ସହ ସ୍ୱତନ୍ତ୍ର ଭାଷା ଓ ବେଶଭୂଷା ରହିଛି । ନାଗାଲାଣ୍ଡର ପୂର୍ବରେ ମ୍ୟାନ୍ମାର ସହ ଅନ୍ତର୍ଜାତୀୟ ସୀମା ଲାଗିରହିଛି । ତେବେ ପର୍ଯ୍ୟଟକଙ୍କୁ ନାଗାଲାଣ୍ଡ ପରିଭ୍ରମଣ ପାଇଁ ଇନର ଲାଇନ ପରମିଟ ବା ଭିଜାର ଆବଶ୍ୟକତା ପଡ଼ିଥାଏ । ଭିଜା ଆବେଦନ ଦିମାପୁର, କୋହିମା, ମୋକୋକଚୁଙ୍ଗ, ନୂଆଦିଲ୍ଲୀ, କୋଲକାତା ଓ ଶିଲଂର ଡେପୁଟି କମିଶନରଙ୍କୁଠାରୁ ପ୍ରାପ୍ତ କରିପାରିବେ । ଅନ୍ଲାଇନରେ ମଧ୍ୟ ଏହାକୁ ଆବେଦନ କରିପାରିବେ । ନାଗାଲାଣ୍ଡକୁ ଆସିବା ପାଇଁ ପର୍ଯ୍ୟଟକଙ୍କୁ ପାନ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଓ ପାସ୍ପୋର୍ଟ ଫଟୋ ଆଣିବା ବାଧ୍ୟତାମୂଳକ ।ଲଦାଖ: ଲଦାଖ ପରିଭ୍ରମଣ ଅତି ସମ୍ବେଦନଶୀଳ ସ୍ଥାନ ବୋଲି କୁହାଯାଏ । କାରଣ ଏହାର ସୀମା ପାକିସ୍ତାନ ଓ ଚାଇନାକୁ ଲାଗିଛି । କିନ୍ତୁ ଏହାର ସବୁ ସ୍ଥାନକୁ ଯିବା ପାଇଁ ଅନୁମତି ଦିଆଯାଏ ନାହିଁ । ଦାହ, ହନୁ ବିଲେଜ, ମରକ, ନ୍ୟୋମା, ଲୋମା ବେଣ୍ଡ, ଖାରଦୁଙ୍ଗ ଲା ଆଦି ସ୍ଥାନକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ । ଉକ୍ତ ସ୍ଥାନକୁ ଯିବା ପାଇଁ ହେଲେ ସହରର ଡିସି କାର୍ଯ୍ୟାଳୟରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇନର ଲାଇନ ପରମିଟ୍ ନେବାକୁ ପଡ଼ିଥାଏ । କିନ୍ତୁ ଆବେଦନ ଫର୍ମକୁ ଦ୍ୱିପହର ୩ଟା ପୂର୍ବରୁ ଜମା କରିବାକୁ ପଡ଼ିଥାଏ । ଏଥିପାଇଁ ପର୍ଯ୍ୟଟକଙ୍କୁ ଦେଶର ନାଗରିକ ବୋଲି ସବୁ କାଗଜପତ୍ରର ଜେରକ୍ସ ସହ ଫଟୋ ପରିଚୟ ପତ୍ରର ଆବଶ୍ୟକତା ପଡ଼ିଥାଏ ।
ସିକ୍କିମ: ସେହିପରି ସିକ୍କିମର ଉତ୍ତରରେ ·ଇନା, ପୂର୍ବରେ ଭୁଟାନ ଓ ପଶ୍ଚିମରେ ନେପାଳ ରହିଛି । ସିକ୍କିମ ରାଜ୍ୟର କିଛି ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ନାହିଁ । ସେହିପରି ଜଣେ ଭାରତୀୟ ନାଗରିକ ଭାବରେ ଲାଚୁଙ୍ଗ, ତସମୋଗ ହ୍ରଦ, ନାଥୁଲା, ଯୁମଥାଙ୍ଗ ଆଦି ଅନେକ ସ୍ଥାନକୁ ଯିବାକୁ ହେଲେ ଇନର ଲାଇନ ପରମିଟ୍ର ଆବଶ୍ୟକତା ପଡ଼ିଥାଏ । ଏହି ଅନୁମତି ରାଜ୍ୟର ପର୍ଯ୍ୟଟନ ଓ ନାଗରିକ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ । ପର୍ଯ୍ୟଟକମାନେ ଏହାକୁ ବାଗଡୋଗରା ବିମାନବନ୍ଦର କିମ୍ବା ରଙ୍ଗପୋ ଚେକ ପୋଷ୍ଟରୁ ଆଣିପାରିବେ । ଏଥିପାଇଁ ପର୍ଯ୍ୟଟକଙ୍କୁ ଫଟୋ ପରିଚୟ ପତ୍ର, ଭୋଟର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଦେବାକୁ ପଡ଼ିଥାଏ ।


