ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ ଚାଷୀମାନଙ୍କୁ ପ୍ରଦାନ କରାଗଲା ମୃତିକା ସ୍ୱାସ୍ଥ୍ୟ ପତ୍ରିକା

ବାଲେଶ୍ୱର,(ୱାଇଏନ୍ଏସ୍): ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବସ ପାଳନରତ୍ତତାତ୍ପର୍ଯ୍ୟ, ମୃତିକା ପରୀକ୍ଷାର ଆବଶ୍ୟକତା ଏବଂ ମାଟି ମାଆର ଯତ୍ନ ଉପରେ ଆଲୋଚନା କରାଯାଇଥିଲା । ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କାରଣ ଯୋଗୁଁ ମୃତିକାର ଯେଭଳି ଦ୍ରୁତ ଅବକ୍ଷୟ ହେଉଛି, ସେଥିଲାଗି ଚିନ୍ତା ପ୍ରକଟ କରିଥିଲେ । ମୃତିକାର ଉପଯୁକ୍ତ ପରୀକ୍ଷା, ତାହାର ଉର୍ବରତାକୁ କିଭଳି ବୈଜ୍ଞାନିକ ଉପାୟରେ ବଢାଇହେବ ସେ ଦିଗରେ ଚାଷୀମାନଙ୍କୁ ଦିଗଦର୍ଶନ ଦେବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ କୃଷି ବିଭାଗକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ମୃତିକାର ଉତ୍ପାଦିକା ଶକ୍ତି ଏବେ ଯଥେଷ୍ଟ ହ୍ରାସ ପାଇଥିବା ମତବ୍ୟକ୍ତ କରିଥିଲେ । ମୃତିକା ପରୀକ୍ଷଣ ସହିତ ଜୈବିକ ପଦ୍ଧତିରେ ଚାଷ ଏବଂ ଧାନ ଚାଷ ସହିତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଚାଷ କରି ମୃତିକାର ଉର୍ବରତାରେ ସନ୍ତୁଳନ ରକ୍ଷା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ବୈଜ୍ଞାନିକ ପଦ୍ଧତିରେ ମୃତିକା ପରୀକ୍ଷା କରି ଉତ୍ପାଦନ ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ଆମ ରାଜ୍ୟ ସମ୍ପ୍ରତି କୃଷି କ୍ଷେତ୍ରରେ ବେଶ ପ୍ରଗତି କରିବା ସହିତ ଜାତୀୟ ସ୍ତରରେ ସମ୍ମାନୀତ ହୋଇପାରିଥିବା ବେଳେ ଦେଶର ଅନ୍ୟାନ୍ୟ କୃଷି ସମୃଦ୍ଧ ରାଜ୍ୟ ସହ ସମକକ୍ଷ ହେବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ସେ କହିଥିଲେ । ଦେଶର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ତେଣୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ ମତ ରଖିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମହାପାତ୍ର ବିଶ୍ୱ ମୃତିକା ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବାଲିଆପାଳ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଶ୍ରୀ ସୁନୀଲ କୁମାର ମହାପାତ୍ର ମୃତିକା ପରୀକ୍ଷା ଓ କୃଷି କ୍ଷେତ୍ରରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଚିତ୍ର ନାରାୟଣ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମଂଚାସୀନ ଥିବା ବେଳେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜିଲ୍ଲାର ଚାଷୀମାନେ ମୃତିକା ପରୀକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସେମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ । ବୈଠକ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା କୃଷି ପୁସ୍ତିକାର ଉନ୍ମୋଚନ କରାଯାଇଥିଲା । ପରେ ଜିଲ୍ଲାର ୨୦ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ମାନୀତ କରାଯିବା ସହିତ ମୃତିକା ସ୍ୱାସ୍ଥ୍ୟ ପତ୍ରିକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ । କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ତଥା ମୃତିକା ରସାୟନବିତ୍ ଶ୍ରୀ ପ୍ରଦୀପ କୁମାର ନାୟକ ଏହାର ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ