ବନ୍ଦ କୋଠରୀ ରୁ ମୃତଦେହ ଉଦ୍ଧାର ଘଟଣା ;ପୋଲିସର ତଦନ୍ତ ଜାରୀ

ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ 
ଛତ୍ରପୁର,(ଦେବଦତ୍ତ ମହାରଣା): ଗତକାଲି ସନ୍ଧ୍ୟାରେ ରଘୁନାଥପୁର ଗ୍ରାମର ଏକ ବନ୍ଦ ଘରେ ପଡିଥିବା ବି.ଲିଙ୍ଗରାଜ ରେଡ୍ଡୀଙ୍କ ମୃତଦେହକୁ ଉଦ୍ଧାର କରିଛି ଚମାଖଣ୍ଡି ପୋଲିସ । ଲୁଟ ଉଦ୍ଦେଶ୍ୟ ରଖି ଏହି ହତ୍ୟା କାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା । ଦୁର୍ବତ୍ତ ମାନେ ଲିଙ୍ଗରାଜଙ୍କୁ ବିଭିନ୍ନ ମାରଣାସ୍ତ୍‌ରେ ଆକ୍ରମଣ କରି ପରେ ଘରେ ଥିବା ଜିନିଷ ପତ୍ର ଭିଙ୍ଗା ଭିଙ୍ଗି କରି ସେଠାରୁ ଚମ୍ପ ମାରିଥିବା ଜଣାପଡୁଛି ।ସୋମବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ରଘୁନାଥପୁର ଗାଁରେ ପହଞ୍ଚି ମୃତ ଲିଙ୍ଗରାଜଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ରକ୍ତାକ୍ତ ହୋଇଥିବା ଦେହର ବିଭିନ୍ନ କ୍ଷତ ବିକ୍ଷତ ଅଂଶ ଗୁଡିକୁ ଅନୁଧ୍ୟାନ କରିଥିଲା ଏହି ଟିମ୍ । ଏହାପରେ ଲିଙ୍ଗରାଜ ପିନ୍ଧିବା ରକ୍ତ ଭିଜା ଲୁଗାପଟା ଏବଂ ଘଟଣାସ୍ଥଳରେ ମିଳିଥିବା ରକ୍ତଭିଜା କୁଡିକୁ ଜବତ କରିଛି ପୋଲିସ । ଏହାସହିତ ଗାଁର ବିଭିନ୍ନ ସ୍ଥାନକୁ ପୋଲିସ ପକ୍ଷରୁ ଅନୁସନ୍ଧାନୀ କୁକୁର ବୁଲାଯାଇଥିଲ । ଘଟଣାସ୍ଥଳରେ ଛତ୍ରପୁର ଏସଡପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ,ଚମାଖଣ୍ଡି ଥାନା ଅଧିକାରୀ ସୀତାଶୁଂ ଶେଖର ମାନ୍ଧତା ଏବଂ ଥାନା ର କର୍ମଚାରୀ ମାନେ ଉପସ୍ଥିତ ହତ୍ୟା ଘଟଣାର ବିଭିନ୍ନ ତଥ୍ୟ ଗାଁର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ସଂଗ୍ରହ କରିଥିଲେ । ଗତକାଲି ମୃତ ଲିଙ୍ଗରାଜଙ୍କ ଭଉଣୀ ପି.ଚନ୍ଦ୍ରମାଙ୍କ ଏତଲା ଅନୁସାରେ ଚମାଖଣ୍ଡି ପୋଲିସ ୧୬୬/୨୦୨୦ନଂ କେସ ରୁଜୁ କରି ଗାଁରେ କେତକ ଯୁବକ ଏବଂ ବୟସ୍କ ଲୋକଙ୍କୁ ପଚରା ଉଚରା କରିଥିଲା । ମୃତ ଲିଙ୍ଗରାଜ କାହା ସହିତ ମିଶୁଥିଲା ଏବଂ ଗତଦୁଇ /ତିନି ତଳେ ତାଙ୍କ ନିକଟକୁ କିଏ ଆସୁଥିଲେ ସେସଂପର୍କରେ ମଧ୍ୟ ବିଭିନ୍ନ ଖବର ସଂଗ୍ରହ କରିଥିଲେ । ପରେ ଗ୍ରାମର କିଛି ବ୍ୟକ୍ତିଙ୍କୁ ସଂନ୍ଦେହ କରି ଥାନାକୁ ଘଟଣା ସଂପର୍କରେ ପଚରାଉଚରା କରିବା ନିମନ୍ତେ ନେଇଥିବା ବିଶେଷସୂତ୍ରରୁ ଜଣାପଡିଛି । ପୋଲିସ ତଦନ୍ତରେ ବାଧାପ୍ରାପ୍ତ ହେବ ବୋଲି ଏସଂପର୍କ ସୂଚନା ଦେଇନି । ଥାନା ଅଧିକାରୀ କହିଛନ୍ତି ଯେ ଗତକାଲି ଲିଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭଉଣୀ ଏତଲା ଦେଇଥିଲେ । ଏତଲା ଅନୁସାରେ ଆମେ ତଦନ୍ତ ଚଳାଇଛୁ । ଆଜି ମୃତ ଲିଙ୍ଗରାଜଙ୍କ ସ୍ତ୍ରୀ ଗାଁକୁ ଆସିଛନ୍ତି ।ମିଳିଥିବା ସୂଚନାନୁଯାୟୀ ରଘୁନାଥପୁର ଲିଙ୍ଗରାଜ ଗତ ଦୁଇବର୍ଷ ହେଲା ଗ୍ରାମରେ ଏକାକୀ ରହୁଥିଲା । ପାରିବାରିକ କଳହ ଯୋଗୁଁ ତାଙ୍କଠାରୁ ଅଲଗା ହୋଇ ସ୍ତ୍ରୀ ଓ ପୁଅ ପୁରୀରେ ରହୁଥିଲେ । ଲିଙ୍ଗରାଜଙ୍କ ପୈତୃକ ସମ୍ପତ୍ତି ରହିଥିବାରୁ ସେ କିଛି କାର୍ଯ୍ୟ ନକରି ଦିନରାତି ନୀଶା ଅବସ୍ଥାରେ ରହୁଥିଲେ । ଗତ ୧୫ଦିନ ପୂର୍ବେ ତାଙ୍କ ଘର ପଛପଟେ ଥିବା ଏକ ଜମି ବିକ୍ରି ହୋଇଥିଲା । ଏହି ବାବଦରେ ମିଳିଥିଲା କିଛି ଟଙ୍କା । କିଛି ଟଙ୍କା ସେ ବାକି ସୁଜିଥିବା ବେଳେ ଆଉ କିଛି ଆଉ ବଳକା ଟଙ୍କା ତାଙ୍କ ପାଖରେ ରହିଥିଲ।। ତେବେ ଶନିବାର ରାତିପରଠାରୁ ଗ୍ରାମରେ ଆଉ ତାଙ୍କ ଦେଖା ମିଳିନଥିବା ବେଳେ ଘର କବାଟ ବନ୍ଦ ରହିଥିଲା । ରବିବାର ସନ୍ଧ୍ୟାରେ ମଧ୍ୟ ତାଙ୍କ ଘର କବାଟ ନଖୋଲିବାରୁ ଗ୍ରାମାବସୀ ସନ୍ଦେହ କରି ଚମାଖଣ୍ଡି ପୋଲିସ କୁ ସୂଚନା ଦେଇଥିଲେ । ପୋଲିସ ଗାଁକୁ ଆସି ତାଙ୍କ କବାଟ ଖୋଲିବା ପରେ ତାଙ୍କ ଘରେ ଲିଙ୍ଗରାଜଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଲୁଟ ଉଦ୍ଦେଶ୍ୟରେ ସଂଘବଦ୍ଧ ହୋଇ ଦୁର୍ବୃତ୍ତ ମାନେ ଏହି ହତ୍ୟା କାଣ୍ଡ କରିଥିବା ଜଣାପଡିଥିଲା । ଏହାର ଖବର ପାଇଁ ସଂଗେ ସଂଗେ ରବିବାର ସନ୍ଧ୍ୟାରେ ଗଂଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସିତାଶୁଂ ଶେଖର ମାନ୍ଧତା ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ବାଧା ଉପୁଜିବ ବୋଲି କୈାଣସି ଲୋକଙ୍କୁ ମୃତ ଲିଙ୍ଗରାଜ ଘର ଭିତରକୁ ନଯିବା କୁ ପୋଲିସ କହିଥିଲେ । ରାତି ତମାମ ପୋଲିସ ଗାଁରେ ବୁଲି ଘଟଣା ସଂପର୍କରେ ଜାଣିବା ନିମନ୍ତେ ବିଭିନ୍ନ ପ୍ରକାର ଉଦ୍ୟମ କରିଥିଲେ । ତାଙ୍କ ଘରେ ସମ୍ମୁଖରେ ଥାନା କିଛି କର୍ମଚାରୀ ଜଗି ରହିଥିଲେ । ସୋମାବାର ସକାଳେ ସାଇଣ୍ଟିଫିକ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ