ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା “ଟିକାରି’ । କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ । ଜୀର୍ଣ୍ଣଶୀର୍ଣ୍ଣ ଶରୀର ସତ୍ତେ୍ୱ ଅମାନବୀୟ ଭାବେ “ଟିକାରି’ ସାମିଲ କରାଯାଇଥିଲା ଏସାଲା ସମାରୋହରେ । ଏହାର କିଛିଦିନ ପରେ ଖାଦ୍ୟାଭାବରୁ ପ୍ରାଣ ହରାଇଥିଲା ୭୦ ବର୍ଷୀୟା ଉକ୍ତ ମାଈ ହାତୀ । ଏହି ଘଟଣା ସେତେବେଳେ ଦୋହଲାଇ ଦେଇଥିଲା ସମଗ୍ର ବିଶ୍ୱକୁ । ଏବେ ପୁଣି ଥରେ ଏକ ଦନ୍ତା ହାତୀକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛି ଏହି ଦ୍ୱୀପ ଦେଶ । ହେଲେ ଏଥର କୁପୋଷଣ ପାଇଁ ନୁହେଁ, ବରଂ ହାତୀ ଭଳି ବୃହତାକାୟ ଜୀବର ସୁରକ୍ଷା ବନ୍ଦୋବସ୍ତକୁ ନେଇ ।
ଭିଭିଆଇପି ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଉକ୍ତ ଦନ୍ତାର ନାମ ନଡୁନଗମୱା ରାଜା । ସାଢ଼େ ୧୦ ଫୁଟ ଉଚ୍ଚତା ଏବଂ ୬୫ ବର୍ଷୀୟ ଏହି ହାତୀ ସୁରକ୍ଷାରେ ମୁତୟନ ହୋଇଛନ୍ତି ସଶସ୍ତ୍ର ଯବାନ । ଦିନରାତି ଛାଇ ଭଳି ଜଗି ରହୁଛନ୍ତି ସୁରକ୍ଷା କର୍ମୀ । ନଡୁନଗମୱା ରାଜା ହେଉଛି ଦେଶର ସର୍ବବୃହତ୍ ପାଳିତ ହାତୀ । ପ୍ରତିବର୍ଷ ଅଗଷ୍ଟରେ ବୁଦ୍ଧଙ୍କ ଦେହାବଶେଷକୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥାଏ । ଏହି ଶୋଭାଯାତ୍ରା ଦୀର୍ଘ ୯୦କି.ମି ପରିକ୍ରମା କରି କାଣ୍ଡି ହିଲ୍ ରିସର୍ଟ ପର୍ଯ୍ୟନ୍ତ ଯାଇଥାଏ । ଏଥିରେ ପାଖାପାଖି ୧୦୦ ହାତୀ ସାମିଲ ହୋଇଥାନ୍ତି । ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ନଡୁନଗମୱା ରାଜା । ୨୦୧୫ ସେପ୍ଟେମ୍ବରରେ ରାସ୍ତାରେ ଯାଉଥିବାବେଳେ ହାତୀକୁ ଏକ ବାଇକ୍ ଧକ୍କା ଦେଇଥିଲା । ଏହି ଦୃଶ୍ୟ ଭିଡିଓରେ କଏଦ ହୋଇଥିଲା । ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସରକାର । ମାଲିକଙ୍କୁ ହାତୀ ସୁରକ୍ଷା ନେଇ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା । ଏହା ପରେ ଦନ୍ତା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । କେବଳ ଏତିକି ନୁହେଁ, ହାତୀଟିର ଯତ୍ନ ନେବାକୁ ୨ଜଣ ତାଲିମପ୍ରାପ୍ତ ମାହୁନ୍ତ ମଧ୍ୟ ନିୟୋଜିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ