ମୋ ସ୍କୁଲ ଅଭିଯାନରେ ପନ୍ଦର ହଜାରରୁ ଅଧିକ ବିଦ୍ୟାଳୟ ଉପକୃତ

ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଶା ସରକାରଙ୍କ ଦ୍ବାରା ଆଗତ “ମୋ ସ୍କୁଲ” କାର୍ଯ୍ୟକ୍ରମ ବହୁତ ସଫଳତା ହାସଲ କରିଛି ବୋଲି “ମୋ ସ୍କୁଲ” ଅଧ୍ୟକ୍ଷା ସୁସ୍ମିତା ବାଗଚୀ କହିଛନ୍ତି। ଏପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ବିଦ୍ୟାଳୟର ଦୁଇ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀମାନେ ଏବଂ କିଛି ଅନୁଷ୍ଠାନ ଏହି ଯୋଜନାରେ ସାମିଲ ହୋଇ ୪୫ କୋଟି ରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। “ମୋ ସ୍କୁଲ ” ନିୟମାନୁଯାୟୀ ରାଜ୍ୟ ସରକାର ଏହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଆକାରରେ ପ୍ରଦାନ କରିଛନ୍ତି। ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଦିନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ଓଡିଶାର ପନ୍ଦର ହଜାରରୁ ଅଧିକ ସରକାରୀ ବିଦ୍ୟାଳୟରେ ୧୫୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସେ ସୂଚନା ଦେଇଛନ୍ତି। ଏହାର ସିଂହଭାଗ ଅଂଶ ସ୍ମାର୍ଟ କ୍ଲାସ ରୁମ ଓ ଡିଜିଟାଲ ପାଠାଗାର ପାଇଁ ଖର୍ଚ୍ଚ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ରୋଟାରୀ ଭଳି ଆନ୍ତର୍ଜାତିକ ସଂସ୍ଥା ର ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ।ଓଡ଼ିଶାର ଛାତ୍ରଛାତ୍ରୀମାନେ ପାଠ ଭଲ ପଢନ୍ତି କିନ୍ତୁ ସେମାନେ କ୍ୟାରିୟର ଓ ଭବିଷ୍ୟତରେ କଣ ହେବ ସେ ନେଇ ସଚେତନ ନୁହନ୍ତି। ଓଡିଶାରେ ଉପଯୁକ୍ତ କ୍ୟାରିୟର କାଉନସେଲିଂ ପ୍ରକ୍ରିୟାର ଅଭାବ ରହିଛି ଏବଂ ରୋଟାରୀ କ୍ଲବ ଭଳି ଏକ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଏନେଇ ବଳିଷ୍ଠ ଉଦ୍ୟମ କରାଯାଉ ବୋଲି “ମୋ ସ୍କୁଲ” ଅଭିଯାନ ଅଧ୍ୟକ୍ଷା ଶ୍ରୀମତୀ ବାଗଚୀ ଆହ୍ୱାନ ଦେଇଛନ୍ତି। ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ଆୟୋଜିତ ଏକ ଆନ୍ତଃରାଜ୍ୟ ୱେବିନାରରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ରୋଟାରୀ କ୍ଲବ ଛତ୍ରପୁରର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକେସିଏଲ୍ ର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଳ ମୂଖ୍ୟବକ୍ତା ଭାବେ ଯୋଗଦେଇ ଆଗାମୀ ୨୦୩୦ ମସିହା ସୁଦ୍ଧା ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସେ ବୟସ୍କ ହୁଅନ୍ତୁ ବା ଯୁବ ସଠିକ ରୋଜଗାରକ୍ଷମ ହେବା ପାଇଁ ଉପଯୁକ୍ତ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଶିକ୍ଷିତ ହେବା ଜରୁରୀ ବୋଲି କହିଥିଲେ। ପୂର୍ବତନ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ପ୍ରଶାସକ ଶିବବ୍ରତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ସୌମ୍ୟରଞ୍ଜନ ମିଶ୍ର, ବରିଷ୍ଠ କର୍ମଚାରୀ ନେତା ପ୍ରଫୁଲ୍ଲ ପଟନାୟକ, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ, ସୁବାସ ସାହୁ, ଅଶୋକ ମହାପାତ୍ର, ତାପସ ପାଣିଗ୍ରାହୀ, ସୁଶାନ୍ତ ମହାପାତ୍ର, ପି କେ ଆଚାର୍ଯ୍ୟ, ଶ୍ରୀନିବାସ ପୃଷ୍ଟି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ସ୍ୱାଗତିକା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ