ଦୁର୍ଘଟଣାରେ ଆହତ ଯୁବକଙ୍କୁ ଉଦ୍ଧାର କଲେ ବାଲିପଦର ପୋଲିସ
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ରାମଗଡ଼ ଗ୍ରାମର ଛକରେ ଡିସେମ୍ବର ୧୩ ତାରିଖ ଦିବା ପ୍ରାୟ ୧ ଘଣ୍ଟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ବାଲିପଦର ପୋଲିସ ଉଦ୍ଧାର କରି ବାଲିପଦର ମେଡ଼ିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଘଟଣାରୁ ଜଣାପଡିଛି ଯେ ପୋଚାଲୁଣ୍ଡି ଗ୍ରାମର ପୁରସ୍ତମ ମହାରଣାଙ୍କ ପୁଅ ପ୍ରଶାନ୍ତ ମହାରଣା ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ନିଜର କର୍ମକ୍ଷେତ୍ର ଚେନ୍ନାଇ ଯିବାକୁ ଆଜି ଗ୍ରାମରୁ ବାହାରିବା ପାଇଁ ଠିକ୍ ହୋଇଥିଲା। ସେଥିପାଇଁ ବାଲିପଦର ଯାଇ କିଛି ଜିନିଷ ପତ୍ର କ୍ରୟ କରି ନିଜ ଗ୍ରାମ ପୋଚାଲୁଣ୍ଡି ଫେରୁଥିବା ବେଳେ ରାମଗଡ଼ ଗ୍ରାମ ଛକ ନିକଟରେ ଏକ ଚାରି ଚକିଆ ଗାଡି ଧକ୍କା ଦେଇ ଚାଲିଯାଇଥିଲା। ଅଜଣା ଗାଡି ଧକ୍କାରେ ପ୍ରଶାନ୍ତ ଛିଟିକି ପଡି ଗୁରୁତର ଆହତ ହୋଇ ରାସ୍ତରେ ପଡ଼ିଥିଲେ। ବାଲିପଦର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆହତ ପ୍ରଶାନ୍ତ ମହାରଣାଙ୍କୁ ଉଦ୍ଧାର କରି ବାଲିପଦର ମେଡ଼ିକାଲକୁ ନେବାସହ ତାଙ୍କ ପରିବାରକୁ ଖବର ଦେଇଥିଲେ। ପ୍ରଶାନ୍ତଙ୍କ ହାତ, ଗୋଡ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଛି। ପ୍ରକାଶ ଥାଉକି ରାମଗଡ଼ ନିକଟ ମୁଖ୍ୟ ରାସ୍ତା ବହୁ ଖାଲଖଣା ହୋଇଥିବା ଯୋଗୁଁ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଯୋଗୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଅଛି।


