କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ୩ଟି କୃଷି ସଂଶୋଧନ ଆଇନକୁ କୃଷି-କୃଷକ ଓ ଜନବିରୋଧୀ ଦର୍ଶାଇ ଏହାକୁ ସଂପୂର୍ଣ୍ଣ ରୂପେ ବାତିଲ କରିବା ଦାବିରେ ସର୍ବଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନକ୍ରମେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଉପଲକ୍ଷେ ନିଖିଳ ଓଡିଶା ଚାଷୀ ମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଖିଳ ଭାରତୀୟ କୃଷକ ସଭା, ଓଡିଶା କୃଷକ ସଭା, ଅଖିଳ ଭାରତ କୃଷକ ମହାସଂଘ, ନବନିର୍ମାଣ କୃଷକ ସଂଗଠନ ସମେତ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌ଏଲ୍‌) ଓ ଆଇଏନ୍‌ଟିୟୁସି , ଏ.ଆଇ.ଟି.ୟୁସି, ସିଆଇଟିୟୁ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ.ଡି.ଏ. ସରକାରଙ୍କ ଦ୍ୱାରା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଗୃହୀତ କରାଯାଇଥିବା କର୍ପୋରେଟ ସପକ୍ଷବାଦୀ କୃଷି ସଂଶୋଧନ ଆଇନ – ୨୦୨୦ ଦେଶର କୃଷକମାନଙ୍କର ଜୀବନ ଜୀବିକାକୁ ଆହୁରି ବିପନ୍ନ କରିଦେବ । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ଯୋଗୁ ଆଳୁ, ଡାଲି, ତେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ଲଗାମହୀନ ଭାବେ ବୃଦ୍ଧି ପାଇ ସାଧାରଣ ଖାଉଟିଙ୍କ ପକେଟ ଲୁଟ୍ ହୋଇ ମହଜୁଦକାରୀ ଓ ମୁନାଫାଖୋରଙ୍କ ସମ୍ପତ୍ତି ବୃଦ୍ଧି ପାଇବ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ତେଣୁ ଅଗଣତାନ୍ତ୍ରିକ ଭାବେ କୋଭିଡ ମହାମାରୀ ସମୟରେ ନିଜର ସଂଖ୍ୟା ବଳର ଅହମିକାରେ ଏବଂ ବିନା ଆଲୋଚନାରେ ଆଣିଥିବା ଏହି କଳା ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଦେଶର ଲକ୍ଷ ଲକ୍ଷ କୃଷକ ରାଜଧାନୀ ଦିଲ୍ଲୀ ସୀମାରେ ପ୍ରଚଣ୍ଡ ଶୀତ କାକରରେ ଆନ୍ଦୋଳନ କରୁଥିବା ବେଳେ ଆଜି ସମଗ୍ର ଦେଶର କୃଷକ, ଶ୍ରମିକ ସଂଗଠନ ଏବଂ ସମସ୍ତ ବିରୋଧୀ ରାଜନୈତିକ ଦଳ ଏହି ଦାବିକୁ ସମର୍ଥନ କରୁଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନର ପ୍ରତ୍ୟାହାର କରିନେବା ଦରକାର ବୋଲି ଦାବି କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ୧୦ଦଫା ସମ୍ବଳିତ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଥିଲା । ସେହି ଦାବୀ ଗୁଡିକ ମଧ୍ୟରେ ୩ଟି ଯାକ କୃଷି ସଂଶୋଧନ ଆଇନକୁ ଅବିଳମ୍ବେ ପ୍ରତ୍ୟାହାର କରାଯାଇ କୃଷକ ଆନ୍ଦୋଳନର ଯବନିକା ପକାଯିବା, ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାଇ ଧାନ କ୍ୱିଂଟାଲ ପ୍ରତି ୨୯୩୦ଟଙ୍କା କ୍ରୟ କରାଯିବା, ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ଦର (ଏମ.ଏସ.ପି.) କୁ ଆଇନଗତ ଗ୍ୟାରେଂଟି ପ୍ରଦାନ କରାଯିବା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ ଭାବେ କାର୍ଯ୍ୟକାରୀ କରାଯିବା, ନୂତନ ବିଜୁଳି ବିଲ -୨୦୨୦କୁ ପ୍ରତ୍ୟାହାର କରାଯିବା, ଡିଜେଲ ଏବଂ ପେଟ୍ରୋଲ ଉପରେ ଟିକସ କମାଇ ଏହାର ମୂଲ୍ୟ ଅଧାକୁ ହ୍ରାସ କରାଯିବା, ଲଗାମହୀନ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯିବା, ଆନ୍ଦୋଳନରତ କୃଷକମାନଙ୍କ ଉପରୁ ସମସ୍ତ ପ୍ରକାର ଆକ୍ରୋଶମୂଳକ ମାମଲା ପ୍ରତ୍ୟାହାର କରାଯିବା, କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା କୃଷକମାନଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବା, ସାଧାରଣ ବଂଟନ ବ୍ୟବସ୍ଥାକୁ ସମ୍ପ୍ରସାରଣ ତଥା ଏହାର ଉପଯୁକ୍ତ କାର୍ଯ୍ୟକାରୀତାକୁ ନିଶ୍ଚିତ କରାଯିବା ପ୍ରଭୃତି ଦାବୀ ରହିଛି । ଧାରଣାକାରୀଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଆଇ.ଏନ୍‌.ଟି.ୟୁ.ସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ମହେନ୍ଦ୍ର ପରିଡା, ସିପିଆଇ ଜିଲ୍ଲା ସଂପାଦକ ରମଣୀ ରଂଜନ ରାଉତରାୟ, ଆଦିକନ୍ଦ ରାଉଳ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ସତ୍ୟ ନାରାୟଣ ଜେନା, ଆଇ.ଟି.ୟୁ.ସି ସଭାପତି ବାବାଜୀ ଧଳ, ଆଇ.ଏନ୍‌.ଟି.ୟୁ.ସି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ସିପିଏମ୍ ସମ୍ପାଦକ ଗୟାଧର ଧଳ, କାଳି ପ୍ରସାଦ ନାୟକ, ଅଖିଳ ଭାରତ କୃଷକ ମହାସଙ୍ଘର ଜିଲ୍ଲା କମିଟି ସଭ୍ୟ ସଞ୍ଜିବ ରାଉତ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ଓଡିଶା କୃଷକ ସଭାର ସଭାପତି ଉମେଶ ଚନ୍ଦ୍ର ସିଂ, ସି.ଆଇ.ଟି.ୟୁ. ସଭାପତି ଜଗଜ୍ଜୀବନ ଦାଶ, ଏ.ଆଇ. କେ.କେ.ଏମ.ଏସ. ଜିଲ୍ଲା କମିଟି ସଭ୍ୟ ଗଣେଶ୍ୱର ମହାନ୍ତି, ଏଲିନା ସାମନ୍ତରାୟ, ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ, ରାଜ୍ୟ କମିଟି ସଭ୍ୟ ସଂଗ୍ରାମ କେଶରୀ ବାଜ, ରବୀନ୍ଦ୍ର ମହାପାତ୍ରଙ୍କ ସମେତ କିଷାନ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସ, ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ, ସର୍ବେଶ୍ୱର ସେଠୀ, କୃଷ୍ଣଚନ୍ଦ୍ର ରାଉତ,ବିଧୁଭୂଷଣ ମହାପାତ୍ର, ନାରୀନେତ୍ରୀ ସୋହାନା ବେଗମ, ସଂଯୁକ୍ତା ରାଉତ, ଧନେଶ୍ୱର ରାଉତ, ମାଧବାନନ୍ଦ ଦାସ, ଅର୍ନିମେଶ ପରିଡା, ହାରାମଣୀ ରାଉତ ପ୍ରମୁଖ ଶତାଧିକ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ