ସାଉଦି ଆରବରେ ଶ୍ୱାସରୁଦ୍ଧ ହୋଇ ମୃତ ବରଣ କରିଥିବା ରାକେଶଦିପ ପରିବାରକୁ କ୍ଷତିପୁରଣ ପ୍ରଦାନ ଦାବି
କେନ୍ଦ୍ରାପଡା – ସାଉଦି ଆରବର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡା ଜିଲ୍ଲାର ଜଣେ ଦିନ ମଜୁରିଆର ଶବକୁ ସେଠାରୁ ଅଣାଯିବାର ବନ୍ଦୋବସ୍ତ କରାଯିବା ସହ ତା’ର ଗରୀବ ପରିବାରକୁ କ୍ଷତିପୁରଣ ପ୍ରଦାନ କରାଯିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତର ଗରଜଙ୍ଗ ଗ୍ରାମର ଧିରେନ ଭଳଙ୍କ ପୁଅ ରାକେଶଦିପ ଭଳଙ୍କର ସାଉଦି ଆରବରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ରାକେଶଦିପ ସେଠାରେ ବାମ୍ଫିଖୋଳାଯିବା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ରାକେଶଦିପଙ୍କ ସହିତ ବାଙ୍ଗାଲୋରର ଆଉ ୩ଜଣ ମଧ୍ୟ ଶ୍ରମିକ ଭାବରେ ସେଠାରେ କାର୍ଯ୍ୟରତ ଥିଲେ । ସେହି ୩ଜଣ ଶ୍ରମିକ ମଧ୍ୟ ଗୁରୁତ୍ତର ଅବସ୍ଥାରେ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି । ରାକେଶଦିପ ସାଉଦିଆରବର ରିଆଦରେ ଥିବା ଏକ ଘରୋଇ କମ୍ପାନୀରେ ଗତ ଅପ୍ରେଲମାସରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିଲେ । ରାକେଶଦିପଙ୍କ ମୃତ୍ୟୁ ଖବର ପହଁଚିବା ପରେ ଗରଜଙ୍ଗା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ରାକେଶଦିପଙ୍କ ମର ଶରୀରକୁ ତାଙ୍କ ଗ୍ରାମକୁ ଅଣାଯାଇ ପରିବାରକୁ ହସ୍ତାନ୍ତର କରାଯିବା ସହିତ ତାଙ୍କ ଉତ୍ତରାଧିକାରୀକୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ନିମନ୍ତେ ପଳସିଂହା ଗ୍ରାମ ପଂଚାୟତର ସରପଂଚ କାଦମ୍ବିନୀ ମହାପାତ୍ର, ସମାଜସେବୀ ଅଜିତ୍ ମହାପାତ୍ର, ଶରତ ଚନ୍ଦ୍ର ଭଳ ପ୍ରମୁଖ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିକରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଏଥିନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।


