ପୁରୁଣା ପେସାକୁ ଫେରିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ
ସୁନ୍ଦରଗଡ଼ : ବିଧାନସଭା ହେଉ କି ଟିଭି ବିତର୍କ, ଅତ୍ୟନ୍ତ ସ୍ପଷ୍ଟ ଓ ଶାଣିତ ସ୍ୱରରେ ଯୁକ୍ତି ରଖି ପ୍ରତିପକ୍ଷଙ୍କ ମୁହଁ ବନ୍ଦ କରି ଦେଉଥିବା ତଳସରା ବିଧାନସଭା ନିର୍ବଚନମଣ୍ଡଳୀର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଏବେ ନୂଆ ଲୁକରେ । ତାଙ୍କ ସେ ଶାଣିତ ସ୍ୱରରେ ଏବେ ବିରାମ ଲାଗିଛି । ସେ ବେକରେ ଝୁଲାଇଛନ୍ତି ଷ୍ଟେଥୋସ୍କୋପ୍ । ବିଧାନସଭାରୁ ଫେରିଛନ୍ତି ଡାକ୍ତରୀ ବୃତ୍ତିକୁ ।
ଭୋଟରଙ୍କ ନାଡ଼ି ଚିପି ଲଗାତର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଡ. ମାଝୀ ଏବେ ରୋଗୀଙ୍କ ନାଡ଼ି ଚିପି ରୋଗ ଚିହ୍ନଟ କରିବେ, ଔଷଧ ଲେଖିବେ । ଡ. ମାଝୀ କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାରେ ଏକ ପରିଚିତ ନାମ । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସର ଅଭେଦ୍ୟ ଗଡ଼ ଥିବା ତଳସରା ବିଧାନସଭାରୁ ୨୦୦୬ ଉପ ନିର୍ବାଚନ ପରଠୁ ସେ ଲଗାତର ୩ ଥର ନିର୍ବାଚିତ ହୋଇଥିଲେ । ଲୋକପ୍ରିୟ ନେତା ସ୍ୱର୍ଗତ ଗଜାଧର ମାଝୀଙ୍କ ଅନ୍ତେ ତାଙ୍କ ଉତ୍ତରାଧିକାରୀ ଭାବେ ଡାକ୍ତରୀ ବୃତ୍ତି ଛାଡ଼ି ୨୦୦୬ ଉପନିର୍ବାଚନରେ ପ୍ରବେଶ କରି ପରବର୍ତ୍ତୀ ୨ଟି ନିର୍ବାଚନରେ ତଳସରା ନିର୍ବାଚନମଣ୍ଡଳୀର ସାଧାରଣଜନତାଙ୍କ ମନ ଜିଣିଥିବା ପ୍ରଫୁଲ୍ଲ ୨୦୧୯ରେ ସବୁ ସମ୍ଭାବନା ସତ୍ତେ୍ୱ ବିଜେପିର ଭବାନୀଶଙ୍କର ଭୋଇଙ୍କ ଠାରୁ ପରାଜିତ ହୋଇଥିଲେ । ଏହାପରେ ପୁଣି ପୂର୍ବ ପେସାକୁ ଫେରିଛନ୍ତି ପ୍ରଫୁଲ । ସୁନ୍ଦରଗଡ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମଏଫ) ତରଫରୁ ଗତ ସେପ୍ଟେମ୍ବର ୧୫ ତାରିଖରେ ଚୁକ୍ତି ଭିତ୍ତିକ ଡାକ୍ତର ଭାବେ ନିଯୁକ୍ତି ପାଇବା ପରେ ସେ ଗତକାଲି ତଳସରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଭାବେ ଯୋଗ ଦେଇ ରୋଗୀ ସେବା ଆରମ୍ଭ କରିଛନ୍ତି ।
୧୯୫୦ ଫେବ୍ରୁଆରି ୧ ତାରିଖରେ ଜନ୍ମଗ୍ରହଣ କରିଥିବା ଡ. ମାଝୀ ଏମ୍ବିିବିଏସ୍ ପାଠ୍ୟକ୍ରମ ଶେଷ କରିବା ପରେ ତାଳଚେର ଫର୍ଟିଲାଇଜର କର୍ପୋରେସନ୍ ଅଫ୍ ଇଣ୍ଡିଆର ଡାକ୍ତରଖାନାରେ ଡାକ୍ତରୀ ବୃତ୍ତି ଆରମ୍ଭ କରିଥିଲେ । ତାହା ବନ୍ଦ ହୋଇଯିବା ପରେ ବେଗୁନିଆରେ ଠିକା ଡାକ୍ତର ଭାବେ ନିଯୁକ୍ତ ହୋଇଥିଲେ । ଦୀର୍ଘ ୨୭ ବର୍ଷ ଡାକ୍ତରୀ ଅଭିଜ୍ଞତା ରଖିଥିବା ପ୍ରଫୁଲ୍ଲ ଜନ ପ୍ରତିନିଧି ଭାବେ ଜାରି ରଖିଥିବା ସେବାକୁ ଏବେ ଡାକ୍ତରୀ ସେବାରେ ରୂପାନ୍ତରିତ କରି ଲୋକଙ୍କ ପାଖରେ ରହିବାକୁ ଚାହୁଥିବା ପ୍ରକାଶ କରିଛନ୍ତି । ତଳସରା ଅଞ୍ଚଳରେ ଡାକ୍ତର ନଥିଲେ । ନିଜେ ଜଣେ ଡାକ୍ତର ହୋଇଥିବାରୁ ଲାକଙ୍କ ଅସୁବିଧାକୁ ଅନୁଭବ କରି ପୁଣି ନିଜ କ୍ଷେତ୍ରକୁ ଫେରିଛନ୍ତି । ପ୍ରତି ସପ୍ତାହରେ ୫ ଦିନ ଆସିବା ସହ ଦିନକୁ ୪ ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଥିବା ବେଳେ ଏହାର ଠିକ୍ ଅନୁପାଳନ କରୁଛନ୍ତି ସେ । ଆବଶ୍ୟକ ହେଲେ ନିଜ ଅଞ୍ଚଳର ଗରିବ ରୋଗୀଙ୍କ ସେବା ପାଇଁ ଆଠ ଘଣ୍ଟା ସମୟ ଦେବି ବୋଲି ସେ କହିଛନ୍ତି । ଆଉ ନିଜ ନେତାଙ୍କୁ ଡାକ୍ତର ରୂପରେ ପାଇ ସ୍ଥାନୀୟ ଲୋକେ ବେଶ ଖୁସିଥିବା ଜଣାପଡ଼ିଛି । ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖ ବୁଝିଥିବା ପ୍ରଫୁଲ୍ଲ ଏବେ ଡାକ୍ତର ରୂପେ ଲୋକଙ୍କୁ ସଠିକ ସେବା ଯୋଗାଇବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ।


