ମଣ୍ଡିରେ ଧାନ ରଖୁ ନ ଥିବା ଅଭିଯୋଗ, ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୨୨ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି। କିନ୍ତୁ ଜିଲାର ଅନେକ ମଣ୍ଡିରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଧାନ କ୍ରୟ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲା ଚାଷୀ। ଏନେଇ ବିିଭିନ୍ନ ଅଞ୍ଚଳର ଚାଷୀମାନେ କନ୍ଧମାଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଜିଲା ବେସାମରିକ ଯୋଗାଣ ଅଧିକାରୀ ଭବାନି ପ୍ରସାଦ ଦାସଙ୍କୁ ପ୍ରଦାନ କରିଛନ୍ତି ।ଚାଷୀଙ୍କ ଅଭିଯୋଗ ପ୍ରକାରେ, ଚକାପାଦ ଅଞ୍ଚଳର ଚାଷୀମାନେ ଧାନ ଧରି କୃଷି ସମବାୟ ସମିତିକୁ ଗଲେ ସେଠାରେ କୌଣସି ମିଲର ଆସିନାହାନ୍ତି, ଧାନ କିଣାହେବ ନାହିଁ ବୋଲି ଲ୍ୟାମ୍ପ ସଂପାଦକମାନେ ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ କରିଥିବା ବେଳେ ଜିଲାର ଅନ୍ୟ କେତେକ ମଣ୍ଡିରେ ମଧ୍ୟ ଏକା ଅବସ୍ଥା ବୋଲି ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଗାଡ଼ି ଭଡ଼ା କରି ଧାନ ଧରି ମଣ୍ଡିରେ ପହଞ୍ଚୁଥିବା ବେଳେ ଧାନ କିଣା ଯାଉ ନ ଥିବା ଯୋଗୁଁ ପୁଣିଥରେ ଗାଡ଼ିଭଡ଼ା କରି ଫେରିବାକୁ ବାଧ୍ୟ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ବାଲିଗୁଡ଼ା ବ୍ଳକର ଲଣ୍ଡାଗାଁ ବ୍ୟତିତ ଜିଲାର ଅନ୍ୟ ୨୧ଟି ମଣ୍ଡିରେ ଧାନ କିଣାଯାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥଳେ ଜିଲାରେ ଅଧିକ ମିଲର ବ୍ୟବସ୍ଥା କରି ଚାଷୀମାନଙ୍କର ଧାନକ୍ରୟ କରିବାର ସୁବିଧା ପାଇଁ ଦାବି କରିଛନ୍ତି ଚାଷୀମାନେ। ଆଜି ଦାବିପତ୍ର ପ୍ରଦାନ ବେଳେ ଚାଷୀ ସନ୍ତୋଷ କୁମାର ପଟ୍ଟନାୟକ, ବଳରାମ ମଲିକଙ୍କ ନେତୃତ୍ୱରେ ବହୁ ଚାଷୀ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ