ପୁଣି ସୁଧ କମାଇଲା ରିଜର୍ଭ ବ୍ୟାଙ୍କ
ମୁମ୍ବାଇ:ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପୁଣି ରେପୋ ହାର କମାଇଛି । ମୁଦ୍ରା ନୀତି କମିଟିରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଷୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରିବା ଫଳରେ ବର୍ତ୍ତମାନ ଏହି ହାର ୫.୧୫ ପ୍ରତିଶତକୁ ଖସିଆସିଛି । କ୍ରମାଗତଭାବେ ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାର କମାଇଛି । ଏହାଦ୍ୱାରା ରେପୋ ହାର ସହ ଯୋଡ଼ା ଯାଇଥିବା ସବୁ ପ୍ରକାର ସୁଧ ହାର ଆଗାମୀ ଦିନରେ ହ୍ରାସ ପାଇବ । ଗାଡ଼ି, ଗୃହ ଏବଂ ବ୍ୟକ୍ତିଗତ ଋଣ ଆଦି ଆଗାମୀ ଦିନରେ ଶସ୍ତାହେବ । ମୁଦ୍ରା ନୀତି କମିଟିର ସମସ୍ତ ୬ ଜଣ ଯାକ ସଦସ୍ୟ ରେପୋ ହାର ହ୍ରାସ ସପକ୍ଷରେ ମତ ଦେଇଥିଲେ । ତେବେ ୫ ଜଣ ସଦସ୍ୟ ୦.୨୫ ପ୍ରତିଶତ ହ୍ରାସ ପାଇଁ କହିବାବେଳେ ସଦସ୍ୟ ରବୀନ୍ଦ୍ର ଢୋଲକିଆ ୦.୪୦ ପ୍ରତିଶତ ହ୍ରାସ ପାଇଁ ମତ ଦେଇଥିଲେ । ମୁଦ୍ରା ନୀତି କମିଟିର ଆଗାମୀ ବୈଠକ ଆସନ୍ତା ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ହେବ । ଡିସେମ୍ବରରୁ ଚବିଶ ଘଣ୍ଟା ଏନ୍ଇଏଫ୍ଟି ଚଳିତବର୍ଷ ଫେବ୍ରୁଆରି ୬ ତାରିଖରେ ମୁଦ୍ରାନୀତି କମିଟି ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରି ୬.୨୫ ପ୍ରତିଶତ ରଖିଥିଲା । ଏହାପରେ ଚଳିତବର୍ଷ ଏପ୍ରିଲ ୪ ତାରିଖରେ ରେପୋ ହାର ୬ ପ୍ରତିଶତକୁ, ଜୁନ୍ ୬ରେ ୫.୭୫ ପ୍ରତିଶତକୁ, ଅଗଷ୍ଟ ୭ରେ ୫.୪୦ ପ୍ରତିଶତକୁ ଏବଂ ଅକ୍ଟୋବର ୪ରେ ୫.୧୫କୁ ହ୍ରାସ ପାଇଛି । ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିବା ଫଳରେ ନୂଆ ଋଣ ଗ୍ରହୀତାମାନେ ତୁରନ୍ତ ଉପକୃତ ହେବେ । କିନ୍ତୁ ପୁରୁଣା ଗ୍ରାହକମାନଙ୍କୁ ଏହାର ଲାଭ ଉଠାଇବା ପାଇଁ ହେଲେ ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଯେଉଁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ସୁଧ ହାରକୁ ରେପୋ ହାର ସହିତ ଯୋଡ଼ିଛନ୍ତି ସେହି ବ୍ୟାଙ୍କର ଗ୍ରାହକଙ୍କୁ ତୁରନ୍ତ ଲାଭ ମିଳିବ । ରିଜର୍ଭ ବ୍ୟାଙ୍କ କ୍ରମାଗତଭାବେ ପଞ୍ଚମ ଥର ପାଇଁ ରେପୋ ହାର ହ୍ରାସ କରିବା ଫଳରେ ଏହା ଏବେ ୫.୧୫ ପ୍ରତିଶତକୁ ଖସି ଗତ ୯ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଛି । ୨୦୧୦ ମାର୍ଚ୍ଚ ପରେ ରେପୋ ହାର ପ୍ରଥମ ଥର ପାଇଁ ଏହି ସ୍ତରକୁ କମିଛି । ଯେଉଁ ରିଜର୍ଭ ବ୍ୟାଙ୍କ ପୂର୍ବରୁ କହୁଥିଲା ୨୦୧୯-୨୦ରେ ଅଭିବୃଦ୍ଧି ୬.୯% ହେବ ତାହା ସେହି ଆକଳନକୁ ବଦଳାଇ କହିଛି ଯେ ଅଭିବୃଦ୍ଧି ହାର ୬.୧%କୁ ଖସିଯିବ । ରେପୋ ହାର ହ୍ରାସ ପରେ ଜମାକାରୀ, ବିଶେଷକରି ମିଆଦୀ ଜମା ରଖୁଥିବା ବ୍ୟକ୍ତିମାନେ ଚିନ୍ତାରେ ପଡ଼ିଛନ୍ତି । ରେପୋ ହାର ହ୍ରାସ ପାଇଥିବାରୁ ବ୍ୟାଙ୍କ ଗୁଡ଼ିକ ମିଆଦୀ ଜମା ସୁଧ ହାର କମାଇବା ଆଶଙ୍କା ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ ଟ୍ରାନ୍ସଫର (ଏନ୍ଇଏଫ୍ଟି) ସମୟ ବଢ଼ାଇଛନ୍ତି । ଆସନ୍ତା ଡିସେମ୍ବର ଠାରୁ ଏହି ସୁବିଧା ଗ୍ରାହକଙ୍କ ପାଇଁ ଚବିଶ ଘଣ୍ଟା ଉପଲବ୍ଧ ହେବ । ବର୍ତ୍ତମାନ ଏହି ସୁବିଧା କେବଳ କାର୍ଯ୍ୟ ଦିବସଗୁଡ଼ିକରେ ସକାଳ ୮ଟାରୁ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ମାଇକ୍ରୋଫାଇନାନ୍ସ ସଂସ୍ଥାର ଗ୍ରାହକଙ୍କ ଲାଗି ଦିଆଯାଉଥିବା ଋଣର ସୀମାକୁ ବଢ଼ାଇଛନ୍ତି । ଏହି ନିଷ୍ପତ୍ତି ପଛର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚାଇବା । ଏନ୍ବିଏଫ୍ସି-ଏମ୍ଏଫ୍ଆଇର ଗ୍ରାମୀଣ ଗ୍ରାହକଙ୍କ ଘରର ଆୟ ସୀମାକୁ ୧ ଲକ୍ଷ ଟଙ୍କା ପରିବର୍ତ୍ତେ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି । ସେହିପରି ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଗ୍ରାହକଙ୍କ ଲାଗି ଆୟ ସୀମାକୁ ୧ ଲକ୍ଷ ୬୦ ହଜାର ଟଙ୍କାରୁ ବଢ଼ାଇ ଦୁଇ ଲକ୍ଷ ଟଙ୍କା କରାଯାଇଛି । ଗ୍ରାହକମାନଙ୍କୁ ଦିଆଯାଉଥିବା ଋଣର ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୧ ଲକ୍ଷ ୨୫ ହଜାର ଟଙ୍କା କରାଯାଇଛି । ଆଜି ମୁଦ୍ରା ନୀତି ଘୋଷଣା ପାଇଁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସଙ୍କୁ ଅଭିବୃଦ୍ଧି, ପିଏମ୍ସି ବ୍ୟାଙ୍କ ଓ କେନ୍ଦ୍ର ସରକାର ମାଗିଥିବା ଅନ୍ତରୀଣ ଲାଭାଂଶ ଆଦି ସଂକ୍ରାନ୍ତ ଜଟିଳ ପ୍ରଶ୍ନ କରାଯାଇଥିଲା ଯାହାର ସେ ବହୁତ ସୁନ୍ଦର ଉତ୍ତର ଦେଇଥିଲେ । ଦେଶରେ ସମବାୟ ବ୍ୟାଙ୍କଗୁଡ଼ିକ ସୁରକ୍ଷିତ ବୋଲି ସେ କହିଛନ୍ତି । ଅଭିବୃଦ୍ଧି ପାଇଁ ଯାହା ସମ୍ଭବ ତାହା କରୁଛୁ ବୋଲି କହିବା ସହିତ ସରକାର ଆମକୁ ଅନ୍ତରୀଣ ଲାଭାଂଶ ମାଗିନାହାନ୍ତି ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବର୍ଜନ କରାଯାଇଛି ।


