ଶୋଇଲେ ବି କମେ ମୋଟାପଣ
ଶରୀରରୁ ମୋଟାପଣ କମାଇବ ପାଇଁ କିଏ କେତେ ପ୍ରକାର ଉପାୟ ଆପଣେଇଥାନ୍ତି । ବିଶେଷକରି ୱାକ୍ଆଉଟ୍, ଦୌଡ଼ିବା ବା ପହଁରିବା ଆଦି କଲେ ଓଜନ ହ୍ରାସ ପାଏ । କିନ୍ତୁ କିଛି କାମ ନ କରି ମୋଟାପଣ ଘଟାଇବା ଅସମ୍ଭବ ମନେ ହେଉଥିଲେ ବି ସତ । ବାସ୍ କିଛି ସମୟ ଶାନ୍ତିରେ ଶୋଇବା ଦ୍ୱାରା ଶରୀରରୁ କ୍ୟାଲୋରୀ ହ୍ରାସ ପାଇଥାଏ । ଶୋଇବା ସମୟରେ ବି ଶରୀର ବେଶ୍ ସକ୍ରିୟ ଥାଏ । ଏହି ସମୟରେ ନୂତନ କୋଷ ତିଆରି ଓ ମସ୍ତିଷ୍କରେ ଥିବା ସୂଚନାକୁ ଫିଲ୍ଟର ହେବା ପାଇଁ ଶରୀରରୁ କିଛି ମାତ୍ରାରେ କ୍ୟାଲୋରୀ ନଷ୍ଟ ହୋଇଥାଏ । କିନ୍ତୁ ଏହା ଶରୀରର ଓଜନ, ତାପମାତ୍ରା ଓ ଶୋଇବା ସମୟ ଆଦି ଉପରେ ନିର୍ଭର କରେ । ଓଜନ କମାଇବା ପାଇଁ କିଛି ଘଣ୍ଟା ଶାନ୍ତିରେ ଶୋଇବା ଆବଶ୍ୟକ । ନିଦ ପୂରା ନ ହେଲେ ଶରୀର ଓ ମସ୍ତିଷ୍କ କ୍ଳାନ୍ତ ହୋଇଯିବା ଦ୍ୱାରା ଅଧିକ ଭୋକ ଲାଗିଥାଏ । ଫଳରେ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ପଡ଼େ । ଏକ ଅଧ୍ୟୟନରୁ ଜଣାପଡ଼ିଛି, ନିଦ ପୂରା ନ ହେଲେ କୋଷଗୁଡ଼ିକ ଇନ୍ସୁଲିନ୍ ପ୍ରତି କମ୍ ସମ୍ବେଦନଶୀଳ ହୋଇପଡ଼ନ୍ତି, ଯାହା ମୋଟାପଣକୁ ନିମନ୍ତ୍ରଣ କରେ । ଅନ୍ଧାର ଘରେ ହିଁ ନିଦ ଖୁବ୍ ଭଲ ହୋଇଥାଏ । ମଣିଷ ଶରୀରରୁ ମେଲାଟୋନିନ୍ ନାମକ ଏକ ହରମୋନ ଉତ୍ପନ୍ନ ହୋଇଥାଏ, ଯାହା ଶୋଇବା ପାଇଁ ଅନୁମତି ପ୍ରଦାନ କରେ । ରାତି ପ୍ରାୟ ୧୧ଟାରୁ ଭୋର ୩ଟା ମଧ୍ୟରେ ଏହି ହର୍ମୋନ ଉତ୍ପନ୍ନ ହୁଏ । ଶରୀରରେ ବ୍ରାଉନ୍ ଫ୍ୟାଟ୍ ବଢ଼ିଲେ କ୍ୟାଲୋରୀ କମିଥାଏ । ମେଲାଟୋନିନ୍ ହର୍ମୋନ୍ ଏହି ବ୍ରାଉନ୍ ଫ୍ୟାଟ୍ ବଢ଼ାଇବାରେ ସାହାଯ୍ୟ କରେ, ଯାହାଫଳରେ ଶୋଇବା ସମୟରେ ବି ଶରୀରରୁ କ୍ୟାଲୋରୀ ନଷ୍ଟ ହୋଇଥାଏ ।


