ପାରଳା ଜେଲର ବିଚାରଧୀନ ମହିଳା ବନ୍ଦୀ ଅନ୍ତରୀଣ ଭତ୍ତା ପାଇବେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ହତ୍ୟା ଅଭିଯୋଗରେ ପାରଳାଖେମୁଣ୍ଡି ଜେଲରେ ବିଚାରଧୀନ କଏଦୀ ଥିବା ଜଣେ ମହିଳା ଅନ୍ତରୀଣ ଭତ୍ତା ପାଇବେ ବୋଲି ସୂଚନା ମିଳିଛି । ଘଟଣାରୁ ପ୍ରକାଶ,ସରକାରୀ ଚାକିରୀରେ ଅବସ୍ଥାପିତ ଥିବା ବେଳେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ପାରଳାଖେମୁଣ୍ଡି କାରାଗାରରେ ବିଚାରାଧୀନ ବନ୍ଦୀ ଥିବା ଜଣେ ମହିଳା ଅନ୍ତରୀଣ ଭତ୍ତା ପାଇବା ନିଶ୍ଚିତ ହୋଇଛି । ମହିଳା ଜଣକ ହତ୍ୟା ମାମଲାରେ ଅଭିଯୁକ୍ତ ହେବା ପୂର୍ବରୁ ରାୟଗଡା ଜିଲ୍ଲାର ଏକ ସରକାରୀ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ମାମଲାରେ ଅଭିଯୁକ୍ତ ହେବା ପରି ସେ ଚାକିରିରୁ ନିଲମ୍ବିତ ହେବା ସହ ତାଙ୍କର ଭତ୍ତା ବନ୍ଦ କରାଯାଇଥିଲା । ତେଣୁ ସେ ଓକିଲ ଖର୍ଚ୍ଚ ଏବଂ ପିଲାଙ୍କ ରହିବା,ଖାଇବା ଓ ପାଠପଢା ଖର୍ଚ୍ଚ ବହନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । କିଛିଦିନ ପୂର୍ବରୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ତଥା ଲୋକ ଅଦାଲତ ବିଚାରପତି ବ୍ୟୋମକେଶ ନାୟକ ଜିଲ୍ଲା କାରାଗାର ପରିଦର୍ଶନ କରିବା ସମୟରେ ମହିଳା ଜଣକ ତାଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ଚାକିରିରୁ ନିଲମ୍ବନ କାଳୀନ ଜୀବନ ନିର୍ବାହ ଭତ୍ତା ପ୍ରଦାନ କରିବାକୁ ବିଚାରପତିଙ୍କୁ ଦରଖାସ୍ତ ମାଧ୍ୟମରେ ନିବେଦନ କରିଥିଲେ । ମହିଳାଙ୍କ ଆବେଦନକୁ ଗୁରୁତ୍ୱର ସହ ବିଚାର କରି ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନେବା ସହ ତାଙ୍କୁ ନିଲମ୍ବନ କାଳୀନ ଭତ୍ତା ପ୍ରଦାନ କରିବାକୁ ବିଚାରପତି ନାୟକ ରାୟଗଡା ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ଏହା ସହ ମହିଳାଙ୍କ ପିଲାମାନେ କିପରି ରହିବେ ଓ ସରକାରୀ ସୁବିଧାରେ ପାଠ ପଢି ପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଚାରପତିଙ୍କ ପତ୍ରକୁ ବିଚାରକୁ ନେଇ ରାୟଗଡା ଜିଲ୍ଲାପାଳ ମହିଳାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ।ଏଥିପାଇଁ ମହିଳା ବନ୍ଦୀ ଆଇନସେବା ପ୍ରାଧିକରଣକୁ କୃତଜ୍ଞତା ଜଣାଇଛନ୍ତି । ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏହି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯିବା ସହ ସାଧୁବାଦ ଦିଆଯାଇଛି । ଏନେଇ ପାରଳା ଜେଲର ହନୁ ସେଠୀ କହିଛନ୍ତି ସମ୍ପୃକ୍ତ ମହିଳା ବନ୍ଦୀ ବର୍ତ୍ତମାନ ଏଠାରେ ନାହାଁନ୍ତି । ତାଙ୍କର ବେଲ ଆଦେଶ ହୋଇଥିବା ଯୋଗୁଁ ଜେଲରେ ସେ ନାହାଁନ୍ତି ।


