ବିଧବା ସୁଜାତା ଶେଷରେ ବୀମା ରାଶି ପାଇବେ : କମ୍ପାନୀକୁ ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ୮ ବର୍ଷର ପ୍ରତୀକ୍ଷା ଅନ୍ତ ହୋଇଛି । ଫୁଲବାଣୀ ପେଞ୍ଜିସାହିର ବିଧବା ସୁଜାତା ନାୟକ ଶେଷରେ ବୀମାରାଶି ପାଇବା ନେଇ ନିଶ୍ଚିତ ହୋଇଛି । ଏ ନେଇ ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତ ଜୀବନ ବୀମା କଂପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଜାତା ନାୟକଙ୍କ ସ୍ବାମୀ ବସନ୍ତ ନାୟକ ଗତ ୨୦୧୧ ମସିହା ଜାନୁଆରି ୨୮ ତାରିଖରେ ବୀମା କରିଥିଲେ । ୧୦ ମାସ ପରେ ଅର୍ଥାତ ସେହି ବର୍ଷ ନଭେମ୍ବର ୨୮ ତାରିଖରେ କୌଣସି କାରଣରୁ ବସନ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା । ସେ କରିଥିବା ବୀମାରାଶି ପାଇବା ପାଇଁ ସୁଜାତା ୨୦୧୨ ମସିହାରେ ଜୀବନ ବୀମା ଅଫିସରେ ଦରଖାସ୍ତ କରିଥିଲେ । ହେଲେ ବସନ୍ତ ଅସୁସ୍ଥ ଥିବା କଥା ବୀମା କରିବା ସମୟରେ ଲୁଚାଇଥିଲେ କହି ବୀମା ରାଶି ଦିଆଯିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିଲେ । ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ସୁଜାତା ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତର ଆଶ୍ରୟ ନେଇଥିଲେ । ଏହି ମାମଲାର ବିଚାର କରି ଲୋକ ଅଦାଲତର ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ ବୀମାରାଶି ପ୍ରଦାନ କରିବାକୁ କଂପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଖର୍ଚ୍ଚ ବାବଦକୁ ୧ହଜାର ଟଙ୍କା ଏବଂ ବିଳମ୍ବ ସମୟର ସୁଧ ପ୍ରଦାନ କରିବାକୁ ସେ କହିଛନ୍ତି । ସ୍ଥାୟୀ ଲୋକ ଅଦାଲତର ସଭ୍ୟ ମାର୍ଟିନ ପ୍ରଧାନ ଓ ବ୍ରଜବନ୍ଧୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


