ପଂଚମ ଜିଲ୍ଲା ପରିଷଦର ଏକାଦଶ ବୈଠକ

ବାଲେଶ୍ୱର,(ଓ୍ବାଇଏନ୍ଏସ୍):ବାଲେଶ୍ୱର ଜିଲ୍ଲାର ପଂଚମ ଜିଲ୍ଲା ପରିଷଦର ଏକାଦଶ ବୈଠକ ବୁଧବାର ପୂର୍ବାହ୍ନ ଘ୧୦.୩୦ମି ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି ଏଥିରେ ସଭାପତିତ୍ୱ କରି ବୈଠକକୁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବିଭିନ୍ନ ବିଷୟ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ପଶୁପାଳନ, ଦୁଗ୍ଧ ପ୍ରକ୍ରିୟାକରଣ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ, ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଓଡିଶା ସରକାର ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ, ମାନ୍ୟବର ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ମାନ୍ୟବର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମାନ୍ୟବର ସୋର ବିଧାୟକ ଶ୍ରୀ ପର୍ଶୁରାମ ଧଡା, ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଢୀ, ମାନ୍ୟବର ଭଦ୍ରକ ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଶ୍ୱିନୀ ମହାପାତ୍ର, ମାନ୍ୟବର ଜଳେଶ୍ୱର ବିଧାୟକଙ୍କ ପ୍ରତିନିଧି ଶ୍ରୀ ମାନସ ଜେନା, ପିଡି, ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଏଜେଣ୍ଡା ୱାରୀ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପରଲୋକ ହୋଇଥିବା ୩୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସ୍ୱର୍ଗତଃ ସର୍ବେଶ୍ୱର ନାୟକ ଏବଂ ୧୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସ୍ୱର୍ଗତଃ ତ୍ରିଲୋଚନ ବେହେରାଙ୍କ ଉଦ୍ଦେଶ୍ୟରେ ଗୃହରେ ନୀରବ ପ୍ରାର୍ଥନା କରାଯିବ ସହିତ ନବ ନିର୍ବାଚିତ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଏବଂ ପିଡି,ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କୁ ଗୃହ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହା ପରେ ପୂର୍ବ ବୈଠକର ବିବରଣୀ ସମ୍ବନ୍ଧରେ ସମ୍ୟକ ଆଲୋଚନା କରାଯିବା ପରେ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସହିତ ବିକାଶକୁ କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ମତ ଉପସ୍ଥାପନ କରିଥିଲେ । କରୋନା ମହାମାରୀ ସମୟରେ ଜିଲ୍ଲାର ସାମଗ୍ରିକ ବିକାଶ ଧିମେଇ ଯାଇଥିବା ବେଳେ ଏବେ ବିକାଶର ଧାରାକୁ କିଭଳି ଦ୍ରୁତ ଗତିରେ ଆଗେଇ ନେଇ ହେବ ତାହା ଉପରେ ଧ୍ୟାନ ଦେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବିଶେଷ କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବଗୁଡିକୁ ଅନୁମୋଦନ କରାଯାଇ କାର୍ଯ୍ୟ ଆରମ୍ଭ ପାଇଁ ଗୃହରେ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ ରହିଥିବା ମାର୍ଗଦର୍ଶିକାକୁ ନେଇ କିଛି ସନ୍ଦହେ ଉପୁଜିଥିବା ବେଳେ ଏ ନେଇ ସଦସ୍ୟା/ସଦସ୍ୟାମାନେ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ କାମ ହାତକୁ ନେବା ଆଗରୁ ସେହି ରାସ୍ତାର ଯାତାୟତ କରୁଥିବା ଯାନବାହାନ ସଂଖ୍ୟା ଏବଂ ଯାନବାହାନର ଲୋଡ ଇତ୍ୟାଦିକୁ ଆକଳନ କରି ସ୍ୱତନ୍ତ୍ର ପ୍ରକଳ୍ପ ଡିଜାଇନ ପ୍ରସ୍ତୁତ କରିବା ପାଇଁ କିଛି ସଦସ୍ୟ ମତ ରଖିଥିଲେ । ଜିଲ୍ଲାର ପ୍ରତି ବ୍ଲକରେ ରାସ୍ତା ତିଆରି ପାଇଁ କେଉଁ ନିୟମ ଆଧାରରେ ପ୍ରକଳ୍ପ କାମ ହାତକୁ ନିଆଯାଇଛି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଦସ୍ୟମାନଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ଅନୁଦାନର ପ୍ରକଳ୍ପ ଅନୁମୋଦନ ସମ୍ପର୍କରେ ଗୃହରେ ଆଲୋଚନା କରାଯାଇଥିଲା । ଦ୍ୱିତୀୟ କିସ୍ତି ବାବଦକୁ ପ୍ରତି ବ୍ଲକକୁ ୩.୭୫ଲକ୍ଷ ଟଙ୍କା ହିସାବରେ ୪୫ଲକ୍ଷ ଟଙ୍କା ଜିଲ୍ଲାକୁ ମିଳିଥିବା ବେଳେ ସଭ୍ୟ/ସଭ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରକଳ୍ପ ପ୍ରସ୍ତାବମାନକୁ ବିଚାରକୁ ନେଇ ଅନୁମୋଦନ କରାଯିବା ଲାଗି ବୈଠକରେ ମତପ୍ରକାଶ ପାଇଥିଲା । ଅନୁରୂପ ଭାବେ ହସ୍ତାନ୍ତରଣ ପାଣ୍ଠିର ବିନିଯୋଗ ନିମନ୍ତେ ମାର୍ଗଦର୍ଶିକା ତଥା ପ୍ରକଳ୍ପ ଅନୁମୋଦନ ସମ୍ବନ୍ଧୀୟ ଆଲୋଚନା ଏହି ବୈଠକରେ ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ