ସବୁ ପେଟ୍ରୋଲ୍‌ ପମ୍ପ୍‌ରେ ମିଳୁନି କ୍ୟାସବ୍ୟାକ୍

ଭୁବନେଶ୍ବର: ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ସମୟରେ ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଇଥିଲେ। ସେଥିରେ ପେଟ୍ରୋଲ ପମ୍ପରେ ଡେବିଟ୍ ଏବଂ କ୍ରେଡିଟ କାର୍ଡରେ ପେଟ୍ରୋଲ, ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ମିଳୁଥିଲା। କିନ୍ତୁ ୨୦୧୯ ଅକ୍ଟୋବର ପହିଲାରୁ ସରକାର କ୍ରେଡିଟ୍ କାର୍ଡରେ ଏହି ସୁବିଧା ଗ୍ରାହକଙ୍କୁ ଆଉ ପ୍ରଦାନ କରୁନାହାନ୍ତି। ଏବେ କେବଳ ଡେବିଟ୍ କାର୍ଡରେ ତେଲ କିଣିଲେ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ମିଳିବା ନିୟମ ରହିଛି। ଅର୍ଥାତ୍ ଗ୍ରାହକ ଯଦି ୧୦୦ ଟଙ୍କାର ତେଲ କିଣୁଛନ୍ତି ତାଙ୍କ ଆକାଉଣ୍ଟକୁ ୭୫ ପଇସା ଫେରୁଛି। ଏହି ସୁବିଧା କିନ୍ତୁ ରାଜ୍ୟର ଏବେ ସବୁ ପେଟ୍ରୋଲ ପମ୍ପ‌ରେ ମିଳୁନାହିଁ। ଏ ନେଇ ଏକାଧିକ ଅଭିଯୋଗ ଗ୍ରାହକଙ୍କଠାରୁ ମିଳିବାରେ ଲାଗିଛି। ଏହି ରିହାତି ନମିଳିବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସରକାରୀ ତେଲ କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ପାଖାପାଖି ୨୦୦୦ ପେଟ୍ରୋଲ ପମ୍ପ ରହିଛି। କରୋନା ପରେ ଡିଜିଟାଲ କାରବାର ବଢ଼ିଯାଇଛି। ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ସମେତ ଅନ୍ୟ ଡିଜିଟାଲ ୱାଲେଟ୍ ମାଧ୍ୟମରେ ବି ଗ୍ରାହକ ଗାଡ଼ିରେ ତେଲ ପକାଉଛନ୍ତି। ତେଣୁ ମୋଟ ତେଲ ବିକ୍ରିର ପ୍ରାୟ ୪୦ ପ୍ରତିଶତ ଡିଜିଟାଲ ପେମେଣ୍ଟରେ ହେଉଛି। ଉତ୍କଳ ପେଟ୍ରୋଲିୟ ଡିଲର ସଂଘର ହିସାବ ଅନୁଯାୟୀ, ରାଜ୍ୟରେ ଦିନକୁ ଏବେ ପ୍ରାୟ ୨୦ କୋଟି ଟଙ୍କାର ପେଟ୍ରୋଲ ଏବଂ ୫୫ କୋଟି ଟଙ୍କାର ଡିଜେଲ ବିକ୍ରି ହେଉଛି। ଅର୍ଥାତ୍ ପ୍ରତିଦିନ ପେଟ୍ରୋଲ ପମ୍ପଗୁଡ଼ିକ ୭୫ କୋଟି ଟଙ୍କାର ତେଲ ବିକ୍ରି କରୁଛନ୍ତି। ୪୦ ପ୍ରତିଶତ ଡିଜିଟାଲ କାରବାର ହିସାବକୁ ନେଲେ ଦିନକୁ ପ୍ରାୟ ୩୦ କୋଟି ଟଙ୍କା ବ୍ୟବସାୟ ଏବେ କାର୍ଡ ଓ ଅନ୍ୟ ଡିଜିଟାଲ ମୋଡ୍‌ରେ ହେଉଛି। ୩୦ କୋଟିର ଅଧା ଅର୍ଥାତ୍ ୧୫ କୋଟି ଟଙ୍କାର ତେଲ ବିକ୍ରି ଯଦି ଡେବିଟ୍‌ କାର୍ଡରେ ହେଉଥାଏ ତା’ହେଲେ ସଂପୃକ୍ତ ଗ୍ରାହକଙ୍କ ଆକାଉଣ୍ଟକୁ ୦.୭୫ ପ୍ରତିଶତ ରିହାତି ବାବଦରେ ପାଖାପାଖି ୧୧ ଲକ୍ଷ ଟଙ୍କା ଫେରିବା କଥା। ଯଦିଓ ରାଜ୍ୟର କୋତୋଟି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ପ୍ରୋତ୍ସାହନ ରାଶି ମିଳୁନାହିଁ ତାହା ନିର୍ଦ୍ଦି‌ଷ୍ଟ ଭାବେ କୁହାଯାଇ ପାରିବ ନାହିଁ ତଥାପି ଅନେକ ସ୍ଥାନରେ ଏହା ମିଳୁନାହିଁ ବୋଲି ଗ୍ରାହକମାନେ ଅଭିଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ