ଡେରିକି ବିଦ୍ୟୁତ ଷ୍ଟ୍ରକଚର କାର୍ଯ୍ୟକ୍ଷମ କେବେ ?

ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ୩ଟି ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ଏହା ମଧ୍ୟରୁ ନାଉଗାଁ ବିଦ୍ୟୁତ ଷ୍ଟ୍ରକଚରରୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଥିବା ବେଳେ ପ୍ରାୟ ଏକ ମାସ ହେବ ଭାତପଡା ଷ୍ଟ୍ରକଚରକୁ କାର୍ଯ୍ୟକ୍ଷମ କରାଯାଇ କିଛି ପଂଚାୟତକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି । ହେଲେ ଡେରିକି ଷ୍ଟ୍ରକଚରକୁ କେବେ କାର୍ଯ୍ୟକ୍ଷମ କରାଯାଇ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ତାହା ସଠିକ ଜଣାପଡୁନାହିଁ । ସୂଚନା ମୁତାବକ ନାଉଗାଁ ବ୍ଳକର ୫ଟି ପଂଚାୟତ ଯଥା ତିରୁଣା, ଡେରିକି, କୋରୁଅ, ଓଷକଣା, ଶିଖର ସମେତ ମୁତୁଣିଆ ଓ ଭଣ୍ଡିସାହି ଆଦି ଗ୍ରାମକୁ ମିଶାଇ ୬ ହଜାରରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ଏଠାରେ ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ ସେବାରୁ ବଂଚିତ ହେଉଥିଲେ । ଏମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଜଗତସିଂହପୁର ତତ୍କାଳିନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସ ୨୦୧୩ ଅକ୍ଟୋବର ୧୦ ତାରିଖରେ ଡେରିକି ଷ୍ଟ୍ରକଚରର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ ଷ୍ଟ୍ରକଚର ନିର୍ମାଣ ପାଇଁ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଓଡିଶା ବିଦ୍ୟୁତ ଶକ୍ତି ପରିବହନ ନେଇଥିବା ବେଳେ ନିର୍ମାଣ ଦାୟିତ୍ୱ ଗୁପ୍ତା ପାୱାରକୁ ପ୍ରଦାନ କରାଯାଇଥିଲା । ଉକ୍ତ ଷ୍ଟ୍ରକଚରକୁ ସଂଯୋଗୀକରଣ ରାସ୍ତା, ଚାରିପାଖରେ ପାଚେରୀ ନିର୍ମାଣ ସହିତ ଷ୍ଟ୍ରକଚରରେ ଯନ୍ତ୍ରାଂଶ କାର୍ଯ୍ୟ ଶେଷ ହୋଇଥିବା ଦେଖିବାକୁ ମିଳୁଛି । ହେଲେ ଉକ୍ତ ପ୍ରକଳ୍ପ କାର୍ଯ୍ୟର ଆରମ୍ବ ଓ ଅବଧି ଶେଷ ତାରିଖ, ପ୍ରକଳ୍ପର ବ୍ୟୟ ଅଟକଳ, ନିର୍ମାଣକାରୀ ସଂସ୍ଥା ଆଦି ନାମ ଥିବା ସୁଚନା ଫଳକ ଦେଖିବାକୁ ମିଳିନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ ହେବାର ୭ ବର୍ଷ ପୁରିଥିଲେ ମଧ୍ୟ ଉକ୍ତ ଷ୍ଟ୍ରକଚର କେବେ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟରେ ଭାତପଡା ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଉକ୍ତ ଷ୍ଟ୍ରକଚର ପରେ ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇସାରିଲାଣି । ଏହି ବିଷୟକୁ ନେଇ ଜଗତସିଂହପୁର ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ.ବିରଜା ପ୍ରସାଦ ପାଢୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ