ଗାଁ ସାଥିଙ୍କୁ ଟ୍ରକ ଚାପିଦେଲା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରବିବାର ସକାଳେ ୩୬ ନମ୍ବର ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ସିକିରି ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଜଣେ ମହିଳା ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ କାଠ ବୋଝେଇ ଟ୍ରକ (ଓଆର ୦୭କେ ୯୯୪୧) ମହିଳାଙ୍କୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଆହତ ଜଣଙ୍କ ସଂପୃକ୍ତ ଗ୍ରାମର ସୁଜତା ଡାକୁଆ (୩୨) । ସେ ଗାଁ ସାଥି ଭାବେ କାର୍ଯ୍ୟ କରୁଛନ୍ତି । ରବିବାର ସକାଳେ ସିକିରି ଗ୍ରାମ ନିକଟରେ ମନରେଗା ଯୋଜନାରେ କାର୍ଯ୍ୟ ଚାଲିଥିଲାବେଳେ ସଂପୃକ୍ତ ଗାଁ ସାଥି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଦୈନନ୍ଦିନ ହାଜିରା ନେବାକୁ ଯାଉଥିବା ସମୟରେ ଦୂର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଗାଡି ଚାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।


