ଭଣ୍ଡିସାହିର ଦେବୀନଦୀ ବନ୍ଧ ପାଶ୍ୱର୍ରେ ପଥର ପ୍ୟାକିଂ କାର୍ଯ୍ୟ ବିନା ସୂଚନା ଫଳକରେ ସରିଲା ବିଲ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ଶେଷ ସୀମା ଓଷକଣା ପଂଚାୟତର ଓଷକଣା ଓ ପୁରୀ ଜିଲ୍ଲାର ଭଣ୍ଡିସାହି ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ । ଦୁର୍ବଳ ନଦୀ ବନ୍ଧ ଯୋଗୁ ବର୍ଷା ଦିନେ ଏହି ନଦୀରେ ବନ୍ୟା ଆସିଲେ ନଦୀ ଫୁଲିବା ସହ ବନ୍ଧ ଭାଙ୍ଗିବାର ସମ୍ଭାବନା ବି ରହିଥାଏ । ଜଳ ସଂପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀ ବନ୍ଧକୁ ଚିହ୍ନଟ କରାଯାଇ ମରାମତି କାର୍ଯ୍ୟ କରାଯାଉଛି । ଏହି ମରାମତି କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ବନ୍ଧ ଅବସ୍ଥା ସୁଧୁରିବାର ନାଁ ଧରୁନି । ଭଣ୍ଡିସାହି ଓ ଓଷକଣା ସୀମାନ୍ତ ଅଂଚଳରେ ପ୍ରବାହିତ ଦେବୀ ନଦୀ ବନ୍ଧରେ ଜଳ ସଂପଦ ବିଭାଗ ପକ୍ଷରୁ ଚଳିତ ବର୍ଷ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଛି । ଅଲଣାହାଟ ଜଳ ସଂପଦ ବିଭାଗ କାର୍ଯ୍ୟାଳୟରେ ଥିବା କନିଷ୍ଠ ଯନ୍ତ୍ରୀ ଦେବୀ ମିଶ୍ରଙ୍କ ସୂଚନା ମୁତାବକ ଏହି ବନ୍ଧରେ ପଥର ପ୍ୟାକିଂ ପାଇଁ ୫୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଉକ୍ତ କାର୍ଯ୍ୟ ୩୦୦ ମିଟର ଲମ୍ବ ରହିଛି । କିନ୍ତୁ ବନ୍ଧର ଲମ୍ବ ପାଖାପାଖି ୨୬୦ ମିଟର ହୋଇଥିବା ବେଳେ ନଦୀଅ ଭିତରକୁ ଚଉଡା ୧ ମିଟର ହୋଇଥିବା ଦେଖିବାକୁ ମିଳୁଛି । କାର୍ଯ୍ୟାଦେଶ ପାଇଥିବା ଠିକାଦାର ପୂର୍ବରୁ ପୁରୁଣା ପଥର ପ୍ୟାକିଂ ଉପରେ କିଛି ନୂଆ ପଥର ପକାଇ ପ୍ୟାକିଂ କରିଥିବା ଦେଖିବାକୁ ମିଳିଛି । ଏପରିକି ନଦୀ ମଧ୍ୟରେ ଥିବା ବନ୍ଧ ଠାରୁ ପଥର ପ୍ୟାକିଂ କରିବାର ନିୟମ ରହିଥିଲେ ହେଁ ବନ୍ଧ ପାଶ୍ୱର୍ରୁ କେଇ ହାତ ବାଲି ଖୋଳି ପଥର ବସାଯାଇଛି । ସେହିପରି କାର୍ଯ୍ୟ କରିବା ପୂର୍ବରୁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ହେଁ ଏପର୍ଯ୍ୟନ୍ତ କାମ ସରିଥିଲେ ବି ଏପର୍ଯ୍ୟନ୍ତ ସୂଚନା ଫଳକ ଲାଗିନାହିଁ । ବିନା ସୂଚନା ଫଳକରେ କାର୍ଯ୍ୟର ବିଲ ଶେଷ ହୋଇଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି । ସେହିପରି ପୁରୁଣା ପଥର ଭିତରେ କେତେ ଖଣ୍ଡ ନୂଆ ପଥର ପକାଯାଇଥିବା ଓ ଏଗୁଡିକ ବନ୍ଧରେ ଥୁଆ ହୋଇଥିବାରୁ ଆସନ୍ତା ବର୍ଷା ଦିନେ ବର୍ଷା ହେଲେ କିମ୍ବା ନଦୀରେ ବନ୍ୟା ଆସିଲେ ପାଣି ମାଡରେ ଉକ୍ତ ପଥର ଖଣ୍ଡ ପୁନର୍ବାର ନଦୀ ମଧ୍ୟକୁ ଖସିଯିବାର ଆଶଙ୍କା କରାଯାଉଛି । ତେଣୁ ନିମ୍ନ ମାନର କାର୍ଯ୍ୟ ଯୋଗୁ ଉକ୍ତ ବନ୍ଧ କେତେ ବେଳେ ଯେ ଭାଙ୍ଗି ଧନ ଜୀବନ ନଷ୍ଟ କରିବ ତାହା କହି ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ