ଚାଟିଂରୁ ଚାଲିଗଲା ତିନିଲକ୍ଷ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବର୍ତ୍ତମାନ ସାଇବର ଠକେଇ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକମାନେ ଦିନକୁ ଦିନ ସାଇବର ଠକେଇର ଶିକାର ହେଉଥିବାବେଳେ ପୁଲିସ ପ୍ରଶାସନର ତଦନ୍ତ ମଧ୍ୟ ଏଦିଗରେ ଜୋର ଧରିଛି । ସାଇବର ଠକେଇର ଶିକାର ନହେବା ପାଇଁ ସୂଚନାତ୍ମକ ପ୍ରଚାର ପ୍ରସାର ଓ ପୁଲିସ ବିଭାଗର ତଦନ୍ତ ଯେତେ ଦୃଢ ହେଉଥିଲେ ବି ଠକେଇ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ ଭଣ୍ଡାରିପୋଖରୀ ଥାନା ନଗୁଆଁ ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇ ନିଜର ସର୍ବଶ୍ୱ ହରାଇଛନ୍ତି । ଯୁବକ ଜଣକ ଚାଟିଂରୁ ସାଇବର ଠକଙ୍କ ହାବୁଡରେ ପଡିଥିଲେ । ପ୍ରଥମେ ଚାଟିଂ ଜରିଆରେ ଯୁବକଙ୍କ ପରିଚୟ ମଗାଯାଇଥିବାବେଳେ ସେ ଜଣେ ସମାଜସେବୀ ଓ ବିଶେଷ ଭାବେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା କହିଥିଲେ । ଏହାପରେ ତାଙ୍କୁ ଉଚ୍ଚ ପ୍ରସଂଶା କରାଯାଇଥିବାବେଳେ ବିଭିନ୍ନ ଆକର୍ଷଣୀୟ ଉପହାରର ଲୋଭ ଦେଖାଯାଇଥିଲା । ଏପରିକି ପ୍ରେମୀ ପ୍ରେମିକାଙ୍କ ଭଳି ମଧୁର ବାର୍ତ୍ତାଳପ ମଧ୍ୟ ପ୍ରଦାନ କରାଯାଇଥିଲା । ଏହାପରେ ଯୁବକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆମେରିକାର ଏକ ସଂଗଠନ ଆପଣଙ୍କୁ ସମ୍ବର୍ଦ୍ଧନା କରିବେ ବୋଲି ଯୁବକଙ୍କୁ ଚାଟିଂ ମାଧ୍ୟମରେ ସୂଚନା ଦିଆଯାଇଥିବାବେଳେ ଏଥିପାଇଁ ଖର୍ଚ୍ଚ ବାବଦୀୟ ୩୦ହଜାର ଟଙ୍କା ଦେବା ପାଇଁ କୁହାଯାଇଥିଲା । ଏଭଳି ପର୍ଯ୍ୟାୟକ୍ରମେ ସମ୍ବର୍ଦ୍ଧନା ବାବଦୀୟ ମୋଟା ଅଙ୍କର ଅର୍ଥରାଶି ଲୋଭ ଦେଖାଯାଇ ଯୁବକଙ୍କ ଠାରୁ ପାଖାପାଖି ୩ଲକ୍ଷ ଟଙ୍କା ସାଇବର ଡକାୟତ ଲୁଟିନେଇଥିବା ଜଣାପଡିଛି । ଯୁବକ ଜଣକ ନିଜ ପତ୍ନୀଙ୍କ ଅଳଙ୍କାର ବନ୍ଧା ପକାଇ ଟଙ୍କା ଦେଇସାରିବା ପରେ କୌଣସି ଲାଭ ନହେବାରୁ ଏବେ ଥାନାରେ ଆଶ୍ରୟ ନେଇଥିବା ଜଣାପଡିଛି । ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।