ଯାଜପୁରରୁ ପ୍ରଣବ ପ୍ରାର୍ଥୀ ହେବେନି!
ବିଜୁ ଜନତା ଦଳରେ ଟିକଟ ବଣ୍ଟାକୁ ନେଇ ବତ୍ତମାନ ଘଡିକେ ଘୋଡା ଛୁଟୁଥିବା ଦେଖିବାକୁ ମିଳିଛି । କେତେକ ଅସନ୍ତୁଷ୍ଟ ସାଂସଦ ଓ ବିଧାୟକ ଦଳ ଛାଡି ସାରିଲେଣି। ୫୪ଟି ବିଧାନସଭା ଏବଂ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଯଦି ଏହି ଅବସ୍ଥା ତେବେ ଆଗକୁ କଣ ହେବ ତାହା କଳନା କରିହେଉନାହିଁ । । ବିଜେଡିରେ ଟିକେଟ କିଏ ପାଇବ, କିଏ ନ ପାଇବ ତାହା ହାତଗଣତି କିଛି ନେତା ଜାଣନ୍ତି। ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଚୂଡାନ୍ତ ତାଲିକାରେ ମୋହର ମାରୁଛନ୍ତି। ଟିକେଟ ମିଳିବା କଥା ଜାଣୁଥିବା ନେତାଙ୍କ ମଧ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାଶ ଥିବା କୁହାଯାଉଛି। ଆଉ ଯଦି ବବି ନିଜେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ଆପଣ ତାଙ୍କୁ ସମର୍ଥନ ଦେବେ ବୋଲି ଅନୁରୋଧ କରନ୍ତି ଭୋଟରଙ୍କୁ ତେବେ ଏଥିରୁ ଅନୁମୟ ଯେ ବବି ଯାଜପୁର ବିଧାନସଭା ଆସନରୁ ଲଢୁନାହାଁନ୍ତି । ଅନ୍ୟପଟେ କୋରେଇ ନିର୍ବାଚନ ମଣ୍ଡଳି ଉପରେ ବବିଙ୍କ ନଜର ରହିଥିବା ଆଲୋଚନା ହେଉଛି । ବବି ଯାଜପୁରରୁ ଛିଡା ହେଉନଥିବା ଏକ କର୍ମୀ ସମ୍ମିଳନୀରେ ଲୋକଲୋଚନକୁ ଆସିଥିଲା। ନିଜ ବାସଭବନରେ ବବି ଏକ କର୍ମୀ ସମ୍ମିଳନୀର ଆୟୋଜନ କରି ଦୀର୍ଘ ସମୟ ଧରି ସେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଦକ୍ଷତା ଓ ନେତୃତ୍ୱ ସଂପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ଆଜି ଯଦି ତୁମ ମାଟିର ପୁଅ ଭୁବନେଶ୍ୱରରେ ମୁଣ୍ଡ ଟେକି ଚାଲିପାରୁଛି, ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛି ତାହା କେବଳ ଆପଣଙ୍କ ପାଇଁ। ତେଣୁ ମୋର ଅନୁରୋଧ ମୋତେ ଯେପରି ଆପଣ ଭଲ ପାଆନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଯେପରି ଭଲ ପାଆନ୍ତି ସେହିଭଳି ଯଦି ଦଳ ଅନ୍ୟ କାହାକୁ ଦାୟିତ୍ୱ ଦିଏ ତାଙ୍କୁ ମଧ୍ୟ ଆପଣ ଭଲ ପାଇବେ । ମୁଁ କେଉଁଆଡେ ଯାଉନାହିଁ, ମୋ ପରିବାରର ଆଦର୍ଶ ହେଉଛି ଜନସେବା। ଏହି ଜନସେବାରୁ ମୋତେ ରାଜନେତା ହେବାର ସୁଯୋଗ ମିଳିଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହି ମାଟି ପାଇଁ ମୁଁ ମୋର ଜୀବନ ଦେବି। ପୂର୍ବରୁ ଦଶରଥପୁରରେ ଆୟୋଜିତ ଏକ କର୍ମ ସମ୍ମିଳନୀରେ ମଧ୍ୟ ବବି ଏହିଭଳି ଇଂଗିତ ଦେଇଥିଲେ। ତେଣୁ ସ୍ପଷ୍ଟ ହେଉଛି ଯେ, ବବି ଏଥର ଯାଜପୁରରୁ ଲଢ଼ୁ ନାହାନ୍ତି। ତେବେ ବବିଙ୍କ ଆଖି ଏବେ କୋରେଇ ଉପରେନାହିଁ ତ? ଏଭଳି ପ୍ରଶ୍ନ ଏବେ ମୁଣ୍ଡ ଟେକିବା ଆରମ୍ଭ କରିଛି । ବର୍ତ୍ତମାନ କୋରେଇ ବିଧାୟକ ଅଛନ୍ତି ଆକାଶ ଦାସନାୟକ। କୁହାଯାଉଛି ଯେ, ଏହି ଆସନରୁ ବବିଙ୍କ ଭିଣୋଇ ଅରିନ୍ଦମ ଟିକେଟ ପାଇପାରନ୍ତି। ତେବେ ଆକାଶ କୋରେଇ ମାଟିର ପୁଅ ହୋଇଥିବାରୁ ଅରିନ୍ଦମଙ୍କୁ ଟିକେଟ ମିଳିଲେ ବିଦ୍ରୋହ ହୋଇପାରେ। ବିଜେଡି କୋରେଇ ଆସନ ହରାଇପାରେ। ତେଣୁ ବବି କୋରେଇରୁ ନିଜେ ଠିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


