ସର୍ବାଧିକ ଆବଶ୍ୟକତା ରହିଥିବା ଲୋକଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର କୋଭିଡ-19 ଟୀକାକରଣ ଅଭିଯାନ ଅତ୍ୟନ୍ତ ମାନବୀୟ ଏବଂ ମହତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଉପରେଆଧାରିତ । ସେ କହିଥିଲେ ଯେ ସର୍ବାଧିକ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଲୋକମାନଙ୍କ ପ୍ରତି ଅଧିକ ସଂକ୍ରମଣର ଆଶଙ୍କା ରହିଥିବ, ସେମାନଙ୍କୁ ପ୍ରଥମେ ଟୀକା ଦିଆଯିବ। ସେ କହିଥିଲେ ଯେ ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଖାନାର ସଫେଇ କର୍ମଚାରୀଙ୍କର ଟୀକା ଉପରେ ପ୍ରଥମ ଅଧିକାର ରହିବ। ଏହି ପ୍ରାଥମିକତା ବ୍ୟବସ୍ଥା ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରର ଡାକ୍ତରଖାନାରେ କାର୍ଯ୍ୟକାରୀ ହେବ। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ-19 ଟୀକାକରଣର ସର୍ବଭାରତୀୟ ଅଭିଯାନକୁ ଶୁଭାରମ୍ଭ କରିବା ପରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ବିଚାର ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ଜରୁରି ସେବା ଯୋଗାଉଥିବା କର୍ମୀ ଏବଂ ଦେଶର ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ୱରେ ଲୋକମାନଙ୍କୁ ଟୀକା ଦିଆଯିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ସୁରକ୍ଷାବାହିନୀ, ପୁଲିସ କର୍ମୀ, ଅଗ୍ନିଶମ କର୍ମଚାରୀ ଓ ସଫେଇ କର୍ମଚାରୀମାନଙ୍କୁ ପ୍ରାଥମିକତା ଦିଆଯିବ। ଏହି ସଂଖ୍ୟା ପାଖାପାଖି 3 କୋଟି ହେବ ଏବଂ ଭାରତ ସରକାର ଏମାନଙ୍କର ଟୀକାକରଣ ଖର୍ଚ୍ଚ ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅଭିଯାନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସମ୍ପର୍କରେ ବିସ୍ତାର ପୂର୍ବକ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୁଇଟି ଡୋଜ ଟୀକା ନେବା ଲାଗି ସତର୍କ କରାଇ ଦେଇଥିଲେ। ସେ କହିଥିଲେ ଯେ ଦୁଇଟି ଡୋଜ ମଧ୍ୟରେ ଗୋଟିଏ ମାସର ବ୍ୟବଧାନ ରହିବ। ସେ ଲୋକମାନଙ୍କୁ ଟୀକାର ଦୁଇଟି ଡୋଜ ନେବା ପରେ ମଧ୍ୟ ସତର୍କତା ବଜାୟ ରଖିବା ନିମନ୍ତେ ନିବେଦନ କରିଥିଲେ। କାରଣ ଟୀକାର ଦ୍ୱିତୀୟ ଡୋଜ ନେବାର ଦୁଇ ସପ୍ତାହ ପରେ ମଣିଷ ଶରୀରରେ କରୋନା ବିରୋଧରେ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ସମ୍ପୂର୍ଣ୍ଣ କରୋନା ବିରୋଧୀ ଲଢ଼େଇ ସମୟରେ ଦେଶବାସୀ ଯେପରି ଧୈର୍ଯ୍ୟର ପରିଚୟ ଦେଇଥିଲେ, ଟୀକାକରଣ ସମୟରେ ମଧ୍ୟ ସେପରି ଧୈର୍ଯ୍ୟର ପ୍ରଦର୍ଶନ କରିବା ଲାଗି ଶ୍ରୀ ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ