ଦିଗପହଣ୍ଡି ରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆମ ପୋଲିସ ସମିତି ପକ୍ଷରୁ ଶନିବାର ମଧ୍ୟାହ୍ନ ରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଠାରେ ବ୍ରହ୍ମପୁର ଟ୍ରାଫିକ ଡିଏସପି ବିମଳ କାନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସଚେତନତା ଶୋଭାଯାତ୍ରା କୁ ସବୁଜ ପତାକା ହଲାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବହୁସଂଖ୍ୟକ ଛାତ୍ରୀ ଛାତ୍ର ବିଭିନ୍ନ ସଚେତନତା ଧର୍ମୀ ପ୍ଲା – କାର୍ଡ ଧରି ସ୍ଲୋଗାନ ଦେବାସହ ରାସ୍ତାରେ ଚଳାଚଳ କରୁଥିବା ଗାଡି ଚାଳକ ଏବଂ ବାଇକ ଚାଳକ ମାନଙ୍କୁ ଟ୍ରାଫିକ ନୀତି ନିୟମ ସମ୍ପର୍କରେ ସଚେତନ କରାଇଥିଲେ। ଶୋଭାଯାତ୍ରା ରେ ସାମିଲ ହୋଇ ବ୍ରହ୍ମପୁର ଟ୍ରାଫିକ ଡି ଏସ ପି ନାୟକ ଟ୍ରାଫିକ ଆଇନ ସଚେତନତା କାର୍ଯ୍ୟରେ ସାମିଲ ଥିବା ଛାତ୍ରୀ ଛାତ୍ର ଯୁବକ ସାମାଜିକ କର୍ମୀ, ପଞ୍ଚାୟତ ଜନପ୍ରତିନିଧି ଏବଂ ଆରକ୍ଷୀ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଟ୍ରାଫିକ ଆଇନ ଉଲଂଘନ କରି ଗାଡି ଚାଳନା କରୁଥିବା ଗାଡି ଚାଳକ ଏବଂ ବାଇକ ଚାଳକ ମାନଙ୍କୁ ଅଟକାଇ ସେମାନଙ୍କୁ ମିଠା ଓ ଗୋଲାପ ଫୁଲ ପ୍ରଦାନ କରାଯିବା ସହ ସଡକ ସୁରକ୍ଷା ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅମାନିଆ ଗାଡି ଚାଳକ ମାନଙ୍କୁ ପୋଲିସ ପକ୍ଷରୁ ଟ୍ରାଫିକ ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା। ପୋଲିସ କର୍ମଚାରୀ ମାନଙ୍କ ନେତୃତ୍ଵରେ ବାଇକ ଶୋଭାଯାତ୍ରା ସ୍ଥାନୀୟ ପୁଞ୍ଜି କଁ ୟା ଛକ ରେ ପହଞ୍ଚିବା ପରେ ରାସ୍ତାର ଉଭୟ ପାର୍ଶ୍ବରୁ ଆସୁଥିବା ଲୋକମାନଙ୍କୁ ଅଟକାଇ ୨ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ବ୍ୟବହାର , ୨ ଚକିଆ ଯାନରେ ୨ ରୁ ଅଧିକ ଯାତ୍ରା ନ କରିବା , ମଦ୍ୟପାନ ଓ ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା , ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା , ଦ୍ରୁତ ଗତିରେ ଗାଡି ନ ଚଲାଇବା , ସର୍ବସାଧାରଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ନ ଚଳାଇବା ଏବଂ ୪ ଚକିଆ ଯାନରେ ଯାତ୍ରା ସମୟରେ ସିଟ୍ ବେଲ୍ଟ ପିନ୍ଧିବା ନେଇ ସମସ୍ତ ଜନସାଧାରଣଙ୍କୁ ଯମ ବେଶରେ ସଜ୍ଜିତ ହୋଇଥିବା ଜଣେ ବ୍ୟକ୍ତି ମାଇକ ଯୋଗେ ବିଭିନ୍ନ ବାଣୀ ଉଚ୍ଚାରଣ କରି ଟ୍ରାଫିକ ନୀତି ନିୟମ ସମ୍ପର୍କରେ ସଚେତନ କରାଇଥିଲେ । ସେହିପରି ପଦ୍ମନାଭପୁୁର ଗ୍ରାମରେ ମଧ୍ୟ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ବରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା


