ପୋଲିସ ଜବତ କଲା ୨ଟି ଖଣିଜ ବୋଝେଇ ଟ୍ରକ, ୫ ଅଭିଯୁକ୍ତ ଗିରଫ ଖଣିବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ

ଯୋଡା, (ସମୀର କୁମାର ଦାସ):ଯୋଡା ଖଣିମଣ୍ଡଳର ବାଂଶପାଣି ପେଟ୍ରୋଲ ପମ୍ପ ପଛ ପାଶ୍ୱର୍ରେ ଥିବା ଏକ କ୍ରସର ନିକଟରୁ ଚୋରାରେ ବୋଝେଇ କରି ଲୁହାପଥର ଚୋରା ଚାଲାଣ ହେଉଥିବା ୨ଟି ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି । ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ, ମଙ୍ଗଳବାର ରାତି ପ୍ରାୟ ୧୦ ଟା ୩୦ ମିନିଟ ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବାଂଶପାଣି ପେଟ୍ରୋଲ ପମ୍ପ ପଛ ପାଶ୍ୱର୍ରେ ଥିବା ଏକ କ୍ରସର ନିକଟରେ ୨ଟି ଟ୍ରକ୍‌ରେ ଚୋରାରେ ଖଣିଜ ବୋଝେଇ ହେଉଥିବା ଖବର ପାଇ ଘଟଣାସ୍ଥଳରେ ପହଁଚି ଅତର୍କିତ ଚଢାଉକରି ଟ୍ରକ ନମ୍ବର ଡବ୍ଲ୍ୟୁ ବି ୧୧ ସି ୫୦୯୦ ଓ ଡବ୍ଲ୍ୟୁ ବି ୨୫ ଜେ ୭୭୩୫ କୁ ଖଣିଜ ବୋଝେଇ ସହ ଜବତ କରିଥିଲେ । ଅନ୍ଧାର ସୁଯୋଗ ନେଇ ଡ୍ରାଇଭର ଓ ହେଲପର ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ପୋଲିସ ବଳ ସହ ସେମାନଙ୍କୁ କାବୁ କରିନେଇଥିଲେ । ପୋଲିସ ଅଧିକ ଯାନ୍‌ଚ କରି ଏହା ଚୋରା କାରବାର ବୋଲି ଜାଣିବାକୁ ପାଇ ଏଥିରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଅଂଚଳର ହୁସେନ ଆଲିଗଜ, ରତନ ସର୍ଦ୍ଦାର, ସୁକୁମାର କର୍ମାକର, ଏସ୍‌କେ ମେସୋଦ୍ଦିନ ଓ ନନ୍ଦିପଦା ଥାନା ଅନ୍ତର୍ଗତ ସଂଖଳା ଗ୍ରାମର ସୁଶାନ୍ତ ଜେନା । ଉଭୟ ଟ୍ରକ ଦ୍ୱୟରେ ପ୍ରାୟ ୫୦.୭୮୦ ମେଟ୍ରିକ ଟନ୍ ଉନ୍ନତମାନର ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିଲା । ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି ଯେ, ବାଂଶପାଣିରେ ଥିବା ଏକ କ୍ରସର୍‌ରୁ ବଡ ଲୁହାପଥର ପରିବହନ ପାଇଁ ଖଣିବିଭାଗ ପକ୍ଷରୁ ଅନୁମତି ମିଳିଥିଲା ହେଲେ ଏଠାରୁ ଜେସିବି ମେସିନ ଯୋଗେ ବଡ ଲୁହାପଥର ପରିବର୍ତେ ଗୁଣ୍ଡ ଲୁହାପଥର ପରିବହନ ହେଉଥିଲା । ଏହି ଖବର ଯୋଡା ପୋଲିସ ପାଇ ଘଟଣାସ୍ଥଳରେ ଚଢାଉ କରି ଉକ୍ତ ଟ୍ରକ୍ ଦ୍ୱୟକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେଣେ ସବୁ ଜାଣିଶୁଣି ମଧ୍ୟ ଖଣିବିଭାଗ ନିରବ ଥିବାରୁ ବିଭାଗର ଭୂମିକା ସନ୍ଧେହଘେରରେ ରହିଛିି । ଏହାର ଉଚ୍ଚସ୍ଥରୀୟ ତଦନ୍ତ କରାଗଲେ ସମ୍ପୃକ୍ତ କ୍ରସରକୁ ଖଣିବିଭାଗର କେଉଁ ଅଧିକାରୀ ଅନୁମୋଦନ ଦେଇଥିଲେ ଏବଂ କ୍ରସର ଓ ଖଣିବିଭାଗର ଭୂମିକା ଲୋକଲୋଚନକୁ ଆସିପାରନ୍ତା । ଏ ସମ୍ପର୍କରେ ଯୋଡା ଯୁଗ୍ମ ଖଣି ନିର୍ଦେଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାଂଶପାଣି କ୍ରସରରୁ ଲମ୍ପସ୍ (ବଡ ଲୁହାପଥର) ପରିବହନ ଅନୁମତି ଦିଆଯାଇଛି । ତେବେ ପୋଲିସ୍ ଯଦି ଟ୍ରକ ଓ ଖଣିଜ ଜବତ ସମ୍ପର୍କରେ ଜଣାଇଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଖଣିବିଭାଗ ଓ ପୋଲିସ ବିଭାଗର ସମନ୍ୱୟର ଅଭାବ ରହିଛି । ଏହାର ଫାଇଦା ଖଣିଜ ଚୋରମାନେ ଉଠାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ