ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି(ଦିସା) ବୈଠକ ଅନୁଷ୍ଠିତ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି (ଦିସା) ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ମାନ୍ୟବର କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାର ସହରାଂଚଳ ଓ ଗ୍ରାମାଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶମୂଳକ ଯୋଜନାର ଅଗ୍ରଗତି ଓ କାର୍ଯ୍ୟଧାରା ସମ୍ପର୍କରେ ସମୀକ୍ଷା କରିଥିଲେ । ମାନନୀୟା ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ, ମାନ୍ୟବର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମାନ୍ୟବର ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ ପାତ୍ର, ମାନ୍ୟବର ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଢୀ, କମିଟି ସମ୍ପାଦକ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ଜିଲ୍ଲାର ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କମିଟି ଅଧ୍ୟକ୍ଷ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବୈଠକର ଏଜେଣ୍ଡା ଅନୁଯାୟୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବା ସହିତ ଉପସ୍ଥିତ ବିଭିନ୍ନ ଲାଇନ ଡିପାର୍ଟମେଂଚର ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ବୈଠକରେ କିଛି ବିଭାଗର ଅଧିକାରୀ ଅନୁପସ୍ଥିତ ଥିବାରୁ ମାନ୍ୟବର ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି ଏହାର ବିଭାଗୀୟ ଯାଂଚ ସହ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଜିଲ୍ଲାର ଯେଉଁ ସବୁ ରାସ୍ତା ପ୍ରକଳ୍ପ କାମ ସରିଛି ତାହା ଉପରେ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଯେଉଁ ସବୁ ରାସ୍ତା ନିର୍ମାଣ କାମ ଚାଲିଛି ତାହା ନିର୍ଦ୍ଧାରିତ ସମୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପରମ୍ପରାଗତ କୃଷି ଯୋଜନା ଓ ଜୈବିକ କୃଷି, ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ ପତ୍ରିକା ବଂଟନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଇତ୍ୟାଦି ସମ୍ପର୍କରେ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ତେବେ ଜିଲ୍ଲାର କେଉଁ ଅଂଚଳରେ ଜୈବିକ କୃଷି ଉପରେ ଗୁରୁତ୍ୱ ଦିଆଯାଇ ତାହାକୁ କାର୍ଯ୍ୟକାରୀ କରାଯାଇଛି ତାହା ଉପରେ ଅଧିକାରୀ ସଠିକ ପ୍ରଦାନ ନ କରିପାରିବା ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ଗୃହକୁ ଦିଆଯାଇଥିବା ତଥ୍ୟ ଏବଂ ଅଧିକାରୀ ଉପସ୍ଥାପନ କରିଥିବା ତଥ୍ୟ ଉପରେ ତାଳମେଳ ନ ଥିବାରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ସମନ୍ୱିତ ଜଳଚ୍ଛାୟା ପରିଚାଳନା କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ, ଅମୃତ ଯୋଜନାରେ ବାଲେଶ୍ୱର ପୌରାଂଚଳରେ ନିର୍ମାଣ ହେଉଥିବା ବିଭିନ୍ନ ପାର୍କର ସ୍ଥିତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଲେଶ୍ୱର, ସୋର, ନୀଳଗିରି ଓ ଜଳେଶ୍ୱର ସହରାଂଚଳରେ ନିର୍ମାଣାଧୀନ ବାସଗୃହର ସ୍ଥିତି, ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟକାରିତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଇତ୍ୟାଦି ସମ୍ପର୍କରେ ଗୃହରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ଗୃହ ନିର୍ମାଣ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ସେହି ଲକ୍ଷ୍ୟ ଠିକ୍ ସମୟରେ ପୂରଣ କରିବା ଉପରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଜୋର୍ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ କରି ଗୃହରେ ଉପସ୍ଥିତ ସଦସ୍ୟ-ସଦସ୍ୟା ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ଅଯୋଗ୍ୟ ହିତାଧିକାରୀ ଲାଭ ଉଠାଉଥିବା ଅଭିଯୋଗ ହୋଇଥିବା ବେଳେ ସେମାନଙ୍କ ନାମ ହିତାଧିକାରୀ ତାଲିକାରୁ କାଟିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ନିଆଯାଇଥିଲା । ଚାଷୀଙ୍କ ଠାରୁ ଧାନ ସଂଗ୍ରହ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଲଗାତାର ଅଭିଯୋଗ ହୋଇ ଆସୁଥିବା ବେଳେ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ କରୁଥିବା ମିଲ ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ ସ୍ୱାଗତ ଅଭିଭାଷଣ ରଖିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଗୃହରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଏପିଡି ଶ୍ରୀ ନୀଲୁ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ