ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲେପର୍ସି ବିରୋଧୀ ଲଢ଼େଇ ପାଇଁ ଆଶାକର୍ମୀଙ୍କ ନିମନ୍ତେ ଫ୍ଲିପ୍‌ଚାର୍ଟ ତାଲିମ ସାମଗ୍ରୀର ଶୁଭାରମ୍ଭ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଜାନୁୟାରୀ ୩୦ ଆଂଟି ଲେପର୍ସି ଦିବସ ଅବସରରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଲେପର୍ସି ବିଲୋପ ପାଇଁ ଗୁଡ୍ ୱିଲ୍ ଆମ୍ବାସଡ଼ର ସାଜିଥିବା ୨୦୧୮ର ଗାନ୍ଧୀ ଶାନ୍ତି ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିବା ୟୋହେଇ ସାସାକାୱାଙ୍କର ସାସାକାୱା ଲେପର୍ସି(ହେନ୍‌ସେନ୍‌ସ ଡିଜିଜ୍‌) ଇନସିଏଟିଭ୍‌, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଥିବା ଜାତୀୟ ଲେପର୍ସି ଇରାଡିକେଶନ ପ୍ରୋଗ୍ରାମ୍ ଏବଂ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମିଳିତ ସହଯୋଗରେ ତାଲିମ୍ ସାମଗ୍ରୀ ଭାବେ ଲେପର୍ସି ପାଇଁ ପିକ୍ଟୋରାଲ ଫ୍ଲିପ୍‌ଚାର୍ଟ ଆକ୍ରିଡେଟେଡ୍ ସୋସିଆଲ ହେଲଥ୍ ଆକ୍ଟିଭିଷ୍ଟ (ଆଶା)ଙ୍କ ଲାଗି ଶୁଭାରମ୍ଭ କରାଯାଇଛି । ଓଡ଼ିଶା ସମେତ ବିହାର, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଦି ୬ଟି ରାଜ୍ୟରେ ଲେପର୍ସିର ଚିହ୍ନଟ ଏବଂ ଚିକିତ୍ସା ଲାଗି ଏହା ବ୍ୟବହୃତ କରାଯିବ । ଏହା ହିନ୍ଦୀ, ଗୁଜରାଟୀ, ଓଡ଼ିଆ ଏବଂ ବଙ୍ଗାଳୀ ଭାଷାରେ ପ୍ରିଂଟ୍ କରାଯାଇଛି । ଫ୍ଲିପ୍‌ଚାର୍ଟର ସହଜ ବ୍ୟବହାର ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଶାକର୍ମୀଙ୍କ ଲାଗି ଆଂଚଳିକ ଭାଷାରେ ଶର୍ଟ ଅନ୍‌ଲାଇନ୍ ଆନିମେଶନ୍ ଭିଡ଼ିଓର ଶୁଭାରମ୍ଭ ମଧ୍ୟ କରାଯାଇଛି । ୩ ଲକ୍ଷରୁ ଅଧିକ ଆଶାକର୍ମୀଙ୍କୁ ଫ୍ଲିପ୍‌ଚାର୍ଟ ଯୋଗାଇ ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ।ଭାରତରେ ଲେପର୍ସି ଲଢ଼େଇରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମାନେ ତୃଣମୂଳସ୍ତରରେ କାର୍ଯ୍ୟ କରିଥାନ୍ତି । ସେମାନେ ଘରଘର ବୁଲି ଲେପର୍ସି ସମସ୍ୟାର ଚିହ୍ନଟ କ୍ଷେତ୍ରରେ ପରିପ୍ରକାଶ ବିଭିନ୍ନ ଲକ୍ଷଣ ଆଧାରରେ ଅଗ୍ରଣୀ କର୍ମୀ ଭାବେ କାର୍ଯ୍ୟ କରିଥାନ୍ତି । ଏହା ସହିତ ସେମାନେ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରିଥାନ୍ତି । ସାଧାରଣ ସଚେତନତା ଅଭାବ ଯୋଗୁ ଭାରତରେ ଲେପର୍ସି ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହି ପିକ୍ଟୋରାଲ ତାଲିମ୍ ସାମଗ୍ରୀ ଆଶାକର୍ମୀଙ୍କ ପାଇଁ ବିଶେଷ ସହାୟକ ହେବା ସହିତ ଲୋକଙ୍କୁ ସଚେତନ ଏବଂ ଉତ୍ସାହିତ କରାଇ ସମାଜରେ ଲେପର୍ସି ବିରୋଧୀ ଲଢ଼େଇକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ । ଏହା ଆତ୍ମପରୀକ୍ଷଣ କରାଇବା ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବାକୁ ସକ୍ଷମ ହେବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଲେପର୍ସି ମୁକ୍ତ ଭାରତ ସ୍ୱପ୍ନ ଗଠନରେ ଆଶାକର୍ମୀଙ୍କ ଅବଦାନ ଅତୁଳନୀୟ । ଏପରିସ୍ଥଳେ ଫ୍ଲିପ୍‌ଚାର୍ଟ ଆଶାକର୍ମୀଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ନିପ୍ପନ ଫାଉଣ୍ଡେଶନ୍‌ର ଅଧ୍ୟକ୍ଷ ତଥା ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଲେପର୍ସି ବିଲୋପ ଗୁଡ୍ ୱିଲ୍ ଆମ୍ବାସଡ଼ର ୟୋହେଇ ସାସାକାୱା କହିଛନ୍ତି । ଫ୍ଲିପ୍‌ଚାର୍ଟ କିଭଳି ଆଶାକର୍ମୀଙ୍କୁ ସହାୟତା ଯୋଗାଇଦେବ ସେ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଯୁଗ୍ମ ସଚିବ ସୁଶ୍ରୀ ରେଖା ଶୁକ୍ଳା କହିଲେ, ସରକାର ଭାରତକୁ ଲେପର୍ସି ମୁକ୍ତ କରାଇବା ଲାଗି ପ୍ରତିଶ୍ରୁତିବଦ୍ଧ । ଜାତୀୟ ଲେପର୍ସି ଇରାଡିକେଶନ୍ ପ୍ରୋଗ୍ରାମ୍ ମାଧ୍ୟମରେ ଏହି ସମସ୍ୟାର ଚିହ୍ନଟ ପାଇଁ ପ୍ରୟାସ କରାଯାଉଛି । ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଚିକିତ୍ସା ପ୍ରଦାନ ସହାୟତାରେ ଶାରୀରିକ ଦିବ୍ୟାଙ୍ଗ ଆଶଙ୍କାକୁ ଦୂର କରାଯାଇପାରିବ । ସେହିପରି ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଫ୍ଲିପ୍‌ଚାର୍ଟ ଆଶାକର୍ମୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବ । ଆଶା ଫ୍ଲିପ୍ ବୁକ୍ ଏକ ଗରୁତ୍ୱପୂର୍ଣ୍ଣ ଆଇଇସି ଉପକରଣ ଭାବେ କାର୍ଯ୍ୟ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ