ଗାଁସାଥୀଙ୍କ ତରଫରୁ ଗାନ୍ଧିଜୀଙ୍କ ଶ୍ରାଦ୍ଧଦିବସ ପାଳିତ ସଂଘର ତିନିଦିନିଆ କର୍ମଶାଳା ଆରମ୍ଭ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ କିଛି ନିଆରା ଧାରାରେ ପାଳିଛି ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ । ଲିଙ୍ଗରାଜ ମନ୍ଦିର ନିକଟରେ ଥିବା କେତୋଟି ଧର୍ମଶାଳାକୁ ଆଜି ସକାଳୁ ସଫେଇ କରିଥିଲେ ଗାଁସାଥୀ (ମେଟ୍‌) ସଂଗଠକମାନେ । ଆଜି ସକାଳ ୧୦ ଘଟିକାରେ ଡ଼ାଲମିଆ ଧର୍ମଶାଳାରେ ରାମଧୁନ୍ ସହିତ ଗାନ୍ଧିଜୀଙ୍କ ବିଚାରକୁ ସମ୍ମାନ ଜଣାଇ ତାଙ୍କର ସ୍ମୃତିଚାରଣ କରି ଶ୍ରାଦ୍ଧ ଦିବସ ପାଳିଥିଲେ । ପରେ ପରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସେହି ଧର୍ମଶାଳାର ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସେଠାରେ ହେବାକୁ ଥିବା ତିନିଦିନିଆ ସାଂଗଠନିକ କର୍ମଶାଳାର କାର୍ଯ୍ୟକ୍ରମଗୁଡ଼ିକ ବାବଦରେ ଗଣମାଧ୍ୟମକୁ ଜଣାଇଥିଲା ସଂଘ । ଏଥିସହିତ ଗାଁସାଥୀଙ୍କ ପ୍ରତି ହେଉଥିବା ପ୍ରଶାସନିକ ଅବହେଳା ଓ ମାନ୍ୟବର ହାଇକୋର୍ଟ, ଓଡ଼ିଶାଙ୍କର କେତୋଟି ନିର୍ଦ୍ଦେଶନାମାକୁ ପାଳନରେ ସରକାରୀ ବିଳମ୍ବ ପ୍ରସଙ୍ଗରେ ମଧ୍ୟ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଥିଲେ । ପ୍ରକାଶଥାଉକି, ଗତ ତିନୋଟି ଆର୍ଥିକବର୍ଷ ପୂର୍ବରୁ ୨୦୧୮ ମସିହା ଅଗଷ୍ଟ ୨୦ରେ ୧୫୫୩୪ ଓ ଚିଠି ନମ୍ବର ୯୪୦ ତା ୧୧.୧.୨୦୧୯ ଅନୁସାରେ ରାଜ୍ୟର ସମସ୍ତ ଗାଁସାଥୀ (ମେଟ)ଙ୍କୁ ମାସକୁ ସର୍ବନିମ୍ନ ୧୦ଦିନରୁ ଉର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ଦିଆଯିବା କଥା । ତାହା ଏଯାବତ ରାଜ୍ୟରେ ୯୫ ପ୍ରତିଶତରୁ ଅଧିକ ମାତ୍ରାରେ ବିଫଳ ହୋଇଛି ବୋଲି ସଂଘ ଅଭିଯୋଗ ଜଣାଇଛି । ଏଣୁ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ୧ ଲକ୍ଷ ଗାଁସାଥୀ (ମେଟ୍‌)ଙ୍କୁ ଏକ ସ୍ୱତନ୍ତ୍ର ୧ଲକ୍ଷ ଟଙ୍କାର ପ୍ରୋତ୍ସାହନଭିତ୍ତିକ ପ୍ୟାକେଜ ଜରିଆରେ ଯନ୍ତ୍ରଚାଳିତ ଧୂପ ତିଆରି ମେସିନ୍‌, ତାହାର ତାଲିମ୍ ଓ ସେ ବାବଦରେ ସାମଗ୍ରୀ କିଣିବା ପାଇଁ କିଛି ଆର୍ôଥକ ସହାୟତାର ବ୍ୟବସ୍ଥା ଚଳିତବର୍ଷ ପଞ୍ଚାୟତିରାଜ ଦିବସ ଅର୍ଥାତ୍ ମାର୍ଚ୍ଚ ୫ରେ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବା ଲାଗି ସଂଘ ନିବେଦନ କରିଛି । ଏଥିସହିତ ଉକ୍ତ କର୍ମଶାଳାରେ ଆରଟିଆଇ, ମାନବାଧିକାର, ମନରେଗାର ଚିଠିପତ୍ର ଓ ନେତୃତ୍ୱ ବିକାଶର ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ କରାଯିବାର ଯୋଜନା ରଖାଯାଇଛି ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ଏହା ସହିତ ଆଗାମୀ ସାଂଗଠନିକ ନିଷ୍ପତ୍ତି ନିଆଯାଇ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରାଯିବା ପାଇଁ ବିଭିନ୍ନ ଆଲୋଚନା ଓ ଯୋଜନା କରାଯାଇଛି ବୋଲି ସଂଘ ଜଣାଇଛି । ଚଳିତ ଫେବୃୟାରୀ ସକାଳ ୧୧ ଘଟିକାରେ ଭୁବନେଶ୍ୱର ୟୁନିଟ୍‌-୮ରେ ଥିବା ଏମ୍‌ଜିଏନ୍‌ଆରଇଜିଏସ୍ ସୋସାଇଟିରେ ନିର୍ଦ୍ଦେଶକ (ମନରେଗା) ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ସଂଘର ସମସ୍ତ ରାଜ୍ୟ ଓ ଜିଲ୍ଲା ସଂଗଠକମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟାର ସମାଧାନ କରନ୍ତୁ ବୋଲି ସଂଘ ନିବେଦନ କରିଛି । ନଚେତ୍ ସେହି ସ୍ଥାନରେ ଗାଁସାଥୀଙ୍କ ଦାବି ପୂରଣ ହେବା ଯାଏ ଶାନ୍ତିପୂର୍ଣ୍ଣ ଗଣଧାରଣା ଜାରି ରହିବ ବୋଲି ସଂଗଠନ ତରଫରୁ ଗଣମାଧ୍ୟକୁ ଜଣାଇ ଦିଆଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଦେଶକୁ ମାନି ଗାଁସାଥୀ (ମେଟ)ମାନଙ୍କୁ ଅବିଳମ୍ବେ ନ୍ୟାୟ ପ୍ରଦାନ କରିବା ପାଇଁ ସଂଘ ଦୃଢ ଦାବି ଜଣାଇଛି । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱାଳଙ୍କ ସମେତ ସଭାପତି ସୌଭାଗ୍ୟ ମିଶ୍ର, ଉମେଶ ମୁଣ୍ଡା, କୁଳମଣି ମେଣ୍ଟା, ସୁଶିଳା ନାୟକ, ପବିତ୍ର ସୁନ୍ଦରାୟ, ରବୀନ୍ଦ୍ର ଗୌଡ଼, ହରି ନାୟକ, କର୍ଣ୍ଣ ଦୁରୁଆ, ପ୍ରକାଶ ମଲ୍ଲିକ, ଉମାକାନ୍ତ ବେହେରା ଓ ଅନ୍ୟ ଶତାଧିକ ଗାଁସାଥୀ (ମେଟ୍‌) ସଂଗଠକଗଣ ସାରା ଓଡ଼ିଶାରୁ ଆସି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ