ଚାଷୀଙ୍କ ଧାନ କିଣାର ଅବ୍ୟବସ୍ଥାକୁ ନେଇ ନିଳୋକ ମଣ୍ଡିରେ ଗଣଧାରଣା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଚାଷୀଙ୍କ ଧାନ କିଣାର ଅବ୍ୟବସ୍ଥାକୁ ନେଇ ବନ୍ତ ବ୍ଲକ ନିଳୋକସ୍ଥିତ ପଧାନପଡା ସେବା ସମବାୟ ସମିତି ସମ୍ମୁଖରେ କୃଷକ ସମନ୍ୱୟ ସମିତି ପକ୍ଷରୁ ଗଣଧାରଣା ଦିଆଯାଇଛି । ଉକ୍ତ ଧାରଣା ପୂର୍ବରୁ ବାବାଜି ଚରଣ ଜେନାଙ୍କ ଆବାହକତ୍ୱରେ ଜିଲାପାଳ, ଜିଲା ଯୋଗାଣ ଅଧିକାରୀଙ୍କୁ ଧାର୍ଯ୍ୟ ତାରିଖରେ ମଣ୍ଡିରୁ ଚାଷୀଙ୍କ ଧାନ କ୍ରୟ ଜନିତ ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଜଣାଯାଇଥିଲା । କିନ୍ତୁ ଜିଲା ପ୍ରଶାସନ ତରଫରୁ ଚାଷୀଙ୍କ ଧାନ ବିକ୍ରି ଜନିତ ସମସ୍ୟାର ସମାଧାନ କରାନଯିବାରୁ ସେବା ସମବାୟ ସମିତି ଆଗରେ ଧାରଣା ଦିଆଯାଇଛିି । ଚାଷୀଙ୍କ ଧାନକ୍ରୟ ପାଇଁ ଚାଷୀଙ୍କ ଟୋକନ ବ୍ୟବସ୍ଥାରେ ଧାର୍ଯ୍ୟ ତାରିଖରେ ସେବା ସମବାୟ ସମିତି ଧାନ କିଣିବା ପାଇଁ ଅସମର୍ଥତା ପ୍ରକାଶ କରୁଛି । ଫଳରେ ଚାଷୀ ମାନେ ଶହ ଶହ ଧାନବସ୍ତାକୁ ରାସ୍ତା କଡରେ ପକାଇ ଶୀତକାକରରେ ରାତିଦିନ ଜଗିବସୁଛି । ପ୍ରଶାସନର ଚାଷୀମାରଣ ନୀତିର ପ୍ରତିବାଦରେ କୃଷକ ସମନ୍ୱୟ ସମିତି ଡାକରାରେ ଚାଷୀ ନେତା ସାଥୀ ସୁବାଷ ଚନ୍ଦ୍ର ବେହେରା, ନିରଂଜନ ନାୟକ, ରବିନ୍ଦ୍ର ତରେଇ, କିଶୋର ବେହେରା, ଅନିରୁଦ୍ଧ ଜେନା, ନିରଂଜନ ମଲ୍ଲିକ, ମଣିଭଦ୍ର ବିଶ୍ୱାଳ, ଭାସ୍କର ମହାନ୍ତି, ଅଭିମନ୍ୟୁ ଜେନା, ଗୋପବନ୍ଧୁ ଜେନାଙ୍କ ନେତୃତ୍ୱରେ ଗଣଧାରଣା ଚାଲିଛି । ସମିତି ସମ୍ମୁଖରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଫକୀର ଚରଣ ବିଶ୍ୱାଳ, ଗୋପବନ୍ଧୁ ସେଠୀ, ରମେଶ ଜେନା, ପର୍ଶୁରାମ ସ୍ୱାଇଁ, ରବିନ୍ଦ୍ର ସେଠୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଯଥାଶିଘ୍ର ଚାଷୀ ମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରି ଏହାର ନିରାକରଣ ପାଇଁ ଦାବୀ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ