ଶିଖରଘାଟ ପୋଲ ନିକଟରେ ୨୦ଫୁଟ ତଳକୁ ଖସିଲା କାର
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ଶିଖରଘାଟ ସେତୁ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର ୨୦ଫୁଟ ତଳକୁ ଖସିଥିବା ଜଣାଯାଇଛି । ଗାଡିଟି ଖସି ପଡିବା ପରେ ଗାଡିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଅଳ୍ପକେ ଆହତ ହୋଇଥିବା ଜଣାଯାଇଛି । ଗାଡିରେ ଥିବା ଯାତ୍ରୀ ଶିଖର ପଂଚାୟତ ଶାଳିଜଙ୍ଗା ଗ୍ରାମର ବୋଲି ଜଣାଯାଇଛି । ସୂଚନା ଯୋଗ୍ୟ ଯେ ଏକ ସୁଇପ୍ଟ କାର ନମ୍ବର ଓଆର୦୫-ଏଟି-୧୯୨୯ ନୟାହାଟ ଆଡୁ ନାଉଗାଁ ଅଭିମୁଖେ ଆସୁଥିଲା । ଶିଖରଘାଟ ପୋଲ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ସିମେଂଟ ଖୁଂଟ ଗୁଡିକୁ ଭାଙ୍ଗି ରାସ୍ତାର ତଳକୁ ଖସି ପଡିଥିଲା । ଗାଡିରେ ଥିବା ଡ୍ରାଇଭର ସମେତ ଅନ୍ୟ ୨ଜଣ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇ ନଥିବା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ସୂଚନା ମିଳିଛିି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ଗାଡି ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଗାଡିଟି ଭାରାସାମ୍ୟ ହରାଇ ବସିଥିଲା । ସରକାର ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ନାଉଗାଁ ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଶିଖରଘାଟ ସେତୁଟି କାକଟପୁର, ନିଆଳି ଓ ନାଉଗାଁ ଥାନାର ସୀମାନ୍ତ ଅଂଚଳରେ ଅବସ୍ଥିତ । ଶିଖରଘାଟ ସେତୁ ହେବା ପରେ ବିଭିନ୍ନ ଯାତ୍ରୀବାହି ଓ ମାଲବାହି ଗାଡି ଏହି ବାଟ ଦେଇ ଯିବା ଆସିବା କରୁଛନ୍ତି । କିନ୍ତୁ ନାଉଗାଁ, ନିଆଳି କିମ୍ବା କାକଟପୁର ପୋଲିସ ପକ୍ଷରୁ ସେପରି କୌଣସି ଚେକିଂ କରାଯାଉ ନଥିବାରୁ ବହୁ ସମୟରେ ଅନେକ ଚୋରା ସାମଗ୍ରୀ ଅବାଧରେ ପରିବହନ କରାଯାଇଛି । ଏପରିକି ଉକ୍ତ ରାସ୍ତାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚାଳକମାନେ ଗାଡି ଚଳାଉଛନ୍ତି । ତେଣୁ ପୋଲିସ ପକ୍ଷରୁ ଗାଡି ଗୁଡିକୁ ସଠିକ ଯାଂଚ କରିବା ସହିତ ଚେକିଂକୁ କଡାକଡି କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବମାନେ ଦାବି କରିଛନ୍ତି । ରିପୋର୍ଟ ପ୍ରସ୍ତୁତ ହେଲା ବେଳକୁ ଥାନା ପକ୍ଷରୁ ଘଟଣାସ୍ଥଳକୁ କୌଣସି ପୋଲିସ ଅଧିକାରୀ ଯାଇ ନଥିବା ଜଣାଯାଇଛି । ଏ ବିଷୟରେ ନାଉଗାଁ ଥାନା ଆଇଆଇସି ଭରତ କୁମାର ବେହେରାଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ପିସିଆର ଭ୍ୟାନ ପଠାଯାଇ ତଦନ୍ତ କରାଯାଉଥିବା ପ୍ରକାଶ କରିଥିଲେ ।