ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଗଜପତିର ୪ଟି ଗ୍ରାମରେ ଚାଲିଛି ପ୍ରଚାର ଆନ୍ଧ୍ର ନିର୍ବାଚନରେ ସାମିଲ ନ ହେବା ପାଇଁ ଗଜପତି ପ୍ରଶାସନର ଅନୁରୋଧ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦ ଦେଶରେ ଥିବା ୪ଟି ଓଡିଶାର ଗ୍ରାମରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ପ୍ରଚାର ଚାଲିଛି । ଏଥି ପାଇଁ ଏହି ୪ଗୋଟି ଗ୍ରାମରେ ଆନ୍ଧ୍ର ନିର୍ବାଚନର ଭିନ୍ନ ଭିନ୍ନ ପୋଷ୍ଟର ଓ ପତକା ଲାଗିଛି । ଭିନ୍ନ ଭିନ୍ନ ପ୍ରାର୍ଥୀ ଏହି ୪ ଗୋଟି ଗ୍ରାମକୁ ବାରମ୍ବାର ଗ୍ରସ୍ତ କରି ସେମାନଙ୍କୁ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି । ଏହି ନିବେଦନରେ ଏହି ୪ଗୋଟି ଗ୍ରାମର କିଛି କିଛି ଗ୍ରାମବାସୀ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ସହ ଆନ୍ଧ୍ର ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି ଅପର ପକ୍ଷରେ ଏହି ଘଟଣା ଗଜପତି ଜିଲ୍ଲା ପ୍ରଶାସନ ଜାଣିବା ପରେ ସେହି ୪ଗୋଟି ଗ୍ରାମର ଲୋକେ ଆନ୍ଧ୍ର ନିର୍ବାଚନରେ ସାମିଲ ନ ହେବା ପାଇଁ ଗ୍ରାମଗୁଡିକୁ ବୁଲି ବୁଲି ଅନୁରୋଧ କରୁଛନ୍ତି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ତଥା ମହେନ୍ଦ୍ରଗିରି ପାଦ ଦେଶରେ ଥିବା ଗଙ୍ଗାବାଡ,ମାଣିକ ପାଟଣା,ଗୁଡୁଖୁଡି,ମାଧିଆଖାଲ ଆଦି ୪ଗୋଟି ଗ୍ରାମ ଓଡିଶାର ରାଜସ୍ୱ ବିଭାଗ ଅଧିନରେ ରହିଛି । ତଥାପି ଓଡିଶା ତରଫରୁ ଏହି ୪ଗୋଟି ଗ୍ରାମ ପାଇଁ ନିତିଦିନିଆ ରାସ୍ତାଟିଏ ନାହିଁ । ଏହି ଅଞ୍ଚଳ ଗୁଡିକ ସବୁଠାରୁ ଅବହେଳିତ ଭାବେ ରହିଆସିଛି । ଆନ୍ଧ୍ରର ଶ୍ରୀକାକୁଳମ ଜିଲ୍ଲା ମଞ୍ଜୁଷା ମଣ୍ଡଳର ନିକଟବର୍ତ୍ତି ଥିବା ଏହି ୪ଗୋଟି ଗ୍ରାମରେ ଆନ୍ଧ୍ର ବିଭିନ୍ନ ଭାବେ ଅନାଧିକାର ପ୍ରବେଶ କରି ରାଜସ୍ୱ ଆଦାୟ,ଓଡିଶା ଲୋକଙ୍କୁ ଆନ୍ଧ୍ରର ରାସନ କାର୍ଡ ଦେବା,ଆନ୍ଧ୍ରର ଆଧାର କାର୍ଡ ଦେବା,ଗ୍ରାମରେ ବିଦ୍ୟୁତ ସଂଯୋଗ କରିବା ଆଦି ସହ ବିଭିନ୍ନ ନିର୍ବାଚନ ସମୟରେ ଆନ୍ଧ୍ର ଓଡିଶାରେ ଜବରଦସ୍ତି ପ୍ରବେଶ କରି ନିର୍ବାଚନ କରୁଛନ୍ତି । ଗତ ବହୁ ବର୍ଷ ହେଲା ଏହି ସୀମାନ୍ତବର୍ତ୍ତି ଅଞ୍ଚଳରେ ଏହି ଭଳି ବିବାଦ ଲାଗି ରହିଛି । ଆନ୍ଧ୍ର ଓଡିଶା ଅଧିକାରୀଙ୍କ ବୈଠକ ଓ ଆଲୋଚନା କେତେଥର ହୋଇଛି । ତଥାପି ଆନ୍ଧ୍ର ର ଜୁଲୁମ ଚାଲୁ ରହିଛି । ଆନ୍ଧ୍ର ପ୍ରଶାସନର ରାସନ କାର୍ଡ, ବିଦ୍ୟୁତ ସଂଯୋ.ଆଧାର କାର୍ଡ ଆଦିରେ ଓଡିଶାର ଏହି ଗ୍ରାମବାସୀମାନେ ଆନ୍ଧ୍ର ଆଡକୁ କିଛି ମାତ୍ରାରେ ଢଳିବାକୁ ଲାଗିଛନ୍ତି । ତେଣୁ ବର୍ତ୍ତମାନ ଓଡିଶାର ଏହି ୪ଗୋଟି ଗ୍ରାମରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପ୍ରକ୍ରୀୟା ଚଳାଇଛି । । ଏହାକୁ ପ୍ରତିହତ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଷ୍ଠ ଅଧିକାରୀମାନେ ଏହି ଗ୍ରାମ ଗୁଡିକୁ ଗ୍ରସ୍ତ କରି ଲୋକଙ୍କ ସହିତ ଆଲୋଚନା କରିବା ସହ ଆନ୍ଧ୍ର ନିର୍ବାଚନରେ ଭାଗ ନ ନେବା ପାଇଁ ଅନୁରୋଧ କରିଛନ୍ତି । ହେଲେ ସମୟ କହିବ ଏଠାରେ ଲୋକେ ଆଗାମୀ ଦିନରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେବେନା ଗଜପତି ପିରଶାସନର ଅନୁରୋଧକୁ ରକ୍ଷା କରିବେ ଯାହାକି ସ୍ପଷ୍ଟ ହେବ ।


