ମାଓବାଦୀଙ୍କ ହତ୍ୟା ଘଟଣା ଭୟ ;ଗାଁ ଛାଡିଲେ ସରପଞ୍ଚଙ୍କ ପରିବାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ  ବେଲଘର ଥାନା ଇଲାକାରେ ଲାଲ୍ ଆତଙ୍କରେ ଲୋକେ ଥରହର। କିଛିଦିନ ତଳେ ମାଓବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁ ପୁଅକୁ ହରାଇଥିବା ସରପଞ୍ଚଙ୍କ ପରିବାର ମଧ୍ୟ ମାଓବାଦୀଙ୍କ ଭୟରେ ଗାଁ  ଛାଡ଼ିଛନ୍ତି । ଭଣ୍ଡରଙ୍ଗି ସରପଞ୍ଚ ଦ୍ରୌପଦୀ ପାତ୍ରଙ୍କ ପୁଅ ଭବାନୀଙ୍କୁ ପୁଲିସ ଇନ୍‌ଫର୍ମର କହି ଗତ ଶୁକ୍ରବାର ରାତିରେ ମାଓବାଦୀ ମାନେ ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ। ତାଙ୍କର ସମ୍ପର୍କୀୟ ଜ୍ବାଇଁ ପୀତାମ୍ବରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଓ ତାଙ୍କ ଶବ ଗତକାଲି ଉଦ୍ଧାର ହେବା ପରେ ସରପଞ୍ଚଙ୍କ ପରିବାର ଆହୁରି ଭୟଭୀତ ହୋଇପଡ଼ିଥିଲେ । ବିଭିନ୍ନ ସମୟରେ ମାଓବାଦୀଙ୍କ ଧମକଚମକ ରହୁଥିବାରୁ ସରପଞ୍ଚଙ୍କ ପରିବାର ପୁଲିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ପାଇଁ ଗାଁ ଛାଡ଼ି ପଡ଼ୋଶୀ ଜିଲ୍ଲା କଳାହାଣ୍ଡି ଚାଲିଯାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ, ଶୁକ୍ରବାର ଘଟଣା ଘଟିବା ପରେ ମଧ୍ୟ ପୁଲିସ ଘଟଣାସ୍ଥଳରେ ନ ପହଞ୍ଚିବା ଓ ଏବେ ସୁଦ୍ଧା ଗାଁକୁ ଆସି ଗ୍ରାମବାସୀ ଓ ତାଙ୍କ ପରିବାରକୁ କୌଣସି ସୁରକ୍ଷା ଯୋଗାଇ ନ ଦେବା କାରଣରୁ ଗାଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟ ଏକ ସୂଚନା ଅନୁଯାୟୀ, ଏବେ ବି ମାଓବାଦୀ ସେମାନଙ୍କ ଶକ୍ତି ବୃଦ୍ଧି ପାଇଁ ଜଙ୍ଗଲରେ ଠୁଳ ହୋଇଛନ୍ତି। ପ୍ରାୟ ଶହେରୁ ଊର୍ଦ୍ଧ୍ବ ସଶସ୍ତ୍ର ମାଓବାଦୀ ଜଙ୍ଗଲରେ ଘୂରି ବୁଲୁଛନ୍ତି । ସେମାନେ ଗାଁ ଗାଁ ବୁଲି ଲୋକଙ୍କୁ ଭୟଭୀତ କରୁଛନ୍ତି । ପୁଲିସକୁ ଖବର ଦେଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଉଛନ୍ତି । ତେବେ ଏଥିରେ ଭୟଭୀତ ନ ହେବାକୁ ପୁଲିସ ଲୋକଙ୍କୁ କେବଳ ପରାମର୍ଶ ଦେଉଛି । ପୁଲିସ ପକ୍ଷରୁ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ଓ କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌ କରାଯାଇଥିବା ପୁଲିସ ଅଧିକାରୀ ଅଭୟବାଣୀ ଦେଉଛନ୍ତି । ତଥାପି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ