ଚୋରା ତେଲ ବେପାର ବୃଦ୍ଧି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଛତାବର ଠାରୁ ଡାହାଲା ଯାଏଁ ଏବେ ଚୋରା ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଯାଇଛି । ଗତ କିଛିଦିନ ପୂର୍ବରୁ ସଂପୋଇ ଓ ଭୂତିଆ ଗ୍ରାମରୁ ବିଭାଗୀୟ ଅଧିକାରୀମାନେ ଚଢାଉ କରି ବ୍ୟାପକ ପରିମାଣରେ କିରୋସିନି ଜବତ କରିଥିଲେ । ଏହା ସହିତ କିରୋସିନିକୁ ଡିଜେଲରେ ପରିବର୍ତ୍ତନ କରିବା ପାଇଁ ବହୁତ ରାସାୟନିକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ଏସବୁ ପରେ ମଧ୍ୟ ଚୋରା ବେପାରୀ ମାନେ ବେଆଇନ କାରବାର ବନ୍ଦ କରିବା ପରିବତ୍ତତ୍ତେ ଦିନକୁ ଦିନ ସେମାନଙ୍କ କାୟା ବିସ୍ତାର କରୁଛନ୍ତି । ଛତାବର ନିକଟ ନେଉଳିଆ ଛକ ଠାରେ ଜନୈକ ବେପାରୀ ଚୋରାରେ କିରୋସିନି ଓ ଡିଜେଲ ବିକ୍ରୟ କରୁଛି । ରାଜପଥ ପାଶ୍ୱର୍ରେ ଥିବା ଏକ କେବିନରେ ଅହରହ ତେଲ ବ୍ୟବସାୟ ଚାଲୁଥିଲେ ସୁଦ୍ଧା ପୋଲିସ କିମ୍ବା ଯୋଗାଣ ବିଭାଗ ଅଧିକାରୀ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି । ସେହିଭଳି ଡାହାଲା ଠାରେ ଥିବା ପରିତ୍ୟକ୍ତ ଗୃହରେ କିରୋସିନି ବ୍ୟବସାୟ ଆରମ୍ଭ ହୋଇଛି । ଏଠାରେ ଗତ କିଛିବର୍ଷ ପୂର୍ବରୁ ହଜାର ହଜାର ଲିଟର କିରୋସିନି ଦୈନନ୍ଦିନ ବିକ୍ରୟ ହେଉଥିବାବେଳେ ରାଜପଥ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହେବାପରେ ଚୋରାବେପାରୀ ମାନେ ଏହାକୁ ବନ୍ଦ କରିଥିଲେ । କରୋନା ଜନିତ ଲକଡାଉନ ସମୟରେ ବେପାର ପ୍ରାୟତଃ ବନ୍ଦ ରହିଥିବାବେଳେ ଏବେ ଏହା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଛତାବର ସ୍ଥିତ ଜଣେ କିରୋସିନି ହୋଲ ସେଲରଙ୍କ ନିକଟରୁ ଚୋରା ବେପାରୀ ମାନେ ତେଲ ନେଉଥିବାବେଳେ ଏବେ କିନ୍ତୁ ସରକାରୀ ସ୍ୱୀକୃତିପ୍ରାପ୍ତ ଖୁଚୁରା ବିକ୍ରେତାଙ୍କ ଠାରୁ କିରୋସିନି କ୍ରୟ କରି ବ୍ୟବସାୟ କରୁଥିବା ଜଣାଯାଇଛି । ଏପରିକି ବ୍ଲକ ବାହାର ହାଟଡିହୀ, ପାଣିକୋଇଲି ଓ ଯାଜପୁର ଅଞ୍ଚଳରୁ କିରୋସିନି ଆସି ବିକ୍ରୟ ହେଉଥିବା ସୂଚନା ମିଳିଛି । ଅବାଧ ଚୋରା କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଅପରାଧିକ କାର୍ଯ୍ୟ ବୃଦ୍ଧି ହେବାରେ ଲାଗିଛି । ତେଣୁ ଏହା ଉପରେ ପ୍ରସାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


