ଘରେ ପଶି ଦୋକାନୀ ଙ୍କୁ ହତ୍ୟା ମାମଲା ; ପୁଣି ୩ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଳକ ନୂଆ ଅନନ୍ତେଇ ଗ୍ରାମର ମନୋଜ ସେଠୀ, ରାଜେଶ ଗୌଡ ଏବଂ ଉପେନ୍ଦ୍ର ନାୟକ ଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରିଛନ୍ତି । ଗାଁ ର ପାନ ଦୋକାନୀ ଦୁଷ୍ମନ୍ତ ଚୌଧୁରୀ ଙ୍କ ହତ୍ୟା ମାମଲାରେ ସେମାନେ ଅଭିଯୁକ୍ତ ଥିବା ପୋଲିସ କହିଛି। ଥାନା ମାମଲା ନଂ. ୨୬/୨୧ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ୩୧ ତାରିଖ ରାତି ପ୍ରାୟ ୯ ଟା ରେ ସିଗାରେଟ ଓ ପାଣି ପାଉଚ ବାକିରେ ମାଗିବାକୁ କେନ୍ଦ୍ରକରି ପାନ ଦୋକାନୀ ଦୁଷ୍ମନ୍ତ ଙ୍କ ସହ କିଛି ଯୁବକଙ୍କ ବଚସା ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ବିଳମ୍ବିତ ରାତିରେ ଦୁଷ୍ମନ୍ତ ଙ୍କୁ ଘରୁ ରାସ୍ତା ଉପରକୁ ଟାଣି ନେଇ କିଛି ଯୁବକ ଲୁହାଛଡରେ ମାଡ଼ ମାରିବା ସହ ସଂଘବଦ୍ଧ ଭାବେ ତାଙ୍କ ଛାତିରେ ପଥର ଛେଚି ନୃଶଂସ ଭାବେ ହତ୍ୟା କରିଥିଲେ । ପୋଲିସ ଗତ ୩ ତାରିଖ ରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନୂଆ ଅନନ୍ତେଇ ଗ୍ରାମର ଶଙ୍କର ଦାସ ଓ ବାପିନି ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଘଟଣାର ପରଦିନ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳ ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ । ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ୨ ଟି ଖଣ୍ଡା,୩ ଟି ଲୁହା ଛଡ଼ ସମେତ ଘଟଣାସ୍ଥଳ ରୁ ୧୫ ରୁ ଉର୍ଦ୍ଧ୍ବ ପଥର ଖଣ୍ଡ ଜବତ କରାଯାଇଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି ।