ଏକାଠି ନଜର ଆସିବେ ଅନୁପ-ଜସଲିନ୍
ରିୟାଲିଟି ଶୋ’ “ବିଗ୍ ବସ୍-୧୨’ ପରେ ପୁଣି ଥରେ ଧମାକା କରିବାକୁ ଏକାଠି ଆସୁଛନ୍ତି ବିବାଦୀୟ ଯୋଡ଼ି ଭଜନ ସମ୍ରାଟ ଅନୁପ ଜଲାଟା ଓ ଜସଲିନ୍ ମାଥରୁ । ଦୁହେଁ ଏକ ଧମାକେଦାର ଫିଲ୍ମ ସହ ରୂପେଲି ପରଦାକୁ ଆସୁଛନ୍ତି । ଯାହାର ନାଁ ରହିଛି “ୱ ମେରି ଷ୍ଟୁଡେଣ୍ଟ ହେ’ । ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି । ଫିଲ୍ମର ଫାଷ୍ଟ ଲୁକ୍ ଜସଲିନ୍ ନିଜ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏଥରେ ଭଜନ ସମ୍ରାଟଙ୍କୁ ଏକଦମ୍ ହଟକେ ଅବତାରରେ ଦେଖିବାକୁ ମିଳିଛି । ହାତରେ ବନ୍ଧୁକ, ଚିକ୍ ମିକ୍ ଟି-ସର୍ଟ ଓ କଳା ଚଷମାରେ ସେ ପୂରା ହିପ୍ହପ ଷ୍ଟାର୍ ଭଳି ଲାଗୁଛନ୍ତି ଓ ତାଙ୍କ ପାର୍ଟନର ଜସଲିନ୍ ମଧ୍ୟ ବୋଲ୍ଡ ଷ୍ଟୁଡେଣ୍ଟ ୟୁନିଫର୍ମରେ ବେଶ୍ ହଟ୍ ଲାଗୁଛନ୍ତି । ଫିଲ୍ମକୁ ନେଇ ଅନୁପ କହିଛନ୍ତି ଯେ, ଜସଲିନ୍ ଓ ତାଙ୍କ ସମ୍ପର୍କକୁ ନେଇ ଲୋକଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ଅଛି ତାକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ଫିଲ୍ମ ତିଆରି କରାଯାଉଛି । ଫିଲ୍ମରେ ଅନୁପ ତାଙ୍କ ବାସ୍ତବ ଜୀବନ ପରି ଜଣେ ମ୍ୟୁଜିକ୍ ଟିଚର ଓ ଜସଲିନ୍ ତାଙ୍କ ଷ୍ଟୁଡେଣ୍ଟ ଭାବେ ନଜର ଆସିବେ । ସବୁଠୁ ରୋଚକ କଥା ହେଉଛି, ଫିଲ୍ମଟିର କାହାଣୀ ଜସଲିନ୍ଙ୍କ ବାପା ଲେଖିଛନ୍ତି । ଏଥିସହ ସେ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ତୁଲାଇବେ । ଫିଲ୍ମର ସୁଟିଂ ଗତ ୧୬ ତାରିଖରୁ ଆରମ୍ଭ ହୋଇଛି । ଯାହାର ଏକ ଭିଡିଓ ଜସଲିନ୍ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫିଲ୍ମର ଏକ ପୋଷ୍ଟର୍ ମଧ୍ୟ ରିଲିଜ୍ କରାଯାଇଛି । ଯେଉଁଥିରେ ଅନୁପ ଓ ଜସଲିନ୍ଙ୍କ ବ୍ୟତୀତ ଆଉ ଜଣେ ଅଭିନେତା ମଧ୍ୟ ନଜର ଆସିଛନ୍ତି ।


