ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଦଳିତ, ଛୋଟ ଓ ଭାଗଚାଷୀ , କୃଷି ଶ୍ରମିକ ମାନଙ୍କୁ ଫସଲ କରିବା ନିମନ୍ତେ ଜଳସେଚନ ସୁବିଧା ଏବଂ କାଜୁ ଜଙ୍ଗଳ ଲିଜ୍ ଦେବା ଦାବୀ ନେଇ ଆଜି ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଂଚାୟତ ଅନ୍ତର୍ଗତ କମାପଲ୍ଲୀ ଗ୍ରାମବାସୀ ମାନେ ଏକ ଲିଖିତ ଦାବୀ ପତ୍ର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆମ ଗ୍ରାମର ୮୦ଭାଗ ଲୋକ ଦଳିତ, ଛୋଟ ଓ ଭାଗଚାଷୀ ଏବଂ କୃଷି ଶ୍ରମିକ ଅଟନ୍ତି । ଆମେ ଚାଷ ବାସ ଓ ମୂଲ ମଜୁରୀ କରି କୁଟୁମ୍ବ ପୋଷୁ । ଆମ ଗ୍ରାମରେ ୪୦କୂଅଁ ଥିଲେ ସୁଦ୍ଧା ବିଦ୍ୟୁତ୍ ତାର ଓ ମୋଟର ଚୋରି ହୋଇପାରୁନାହିଁ । ଫଳରେ ପନିପରିବା, ଚିନାବାଦାମ, ଲଙ୍କା ମରିଚ ଆଦି ଚାଷ ହୋଇପାରୁନାହିଁ । ଏଣୁ ଚାଷୀ କାମ ଧନ୍ଦା ନପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଆମ ଗ୍ରାମ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲ (କାଜୁ) କୁ ଆମ ଗ୍ରାମବାସୀ ମାନେ ମୃତ୍ତିକା ସଂରକ୍ଷଣ ବିଭାଗ ଜରିଆରେ କାଜୁ ଗଛ ରୋପଣ କରିଥିଲୁ । ମୃତ୍ତିକା ସଂରକ୍ଷଣ ବିଭାଗ କାଜୁ ଗଛ ଫଳ ଅସିଲେ ଆମ ଗ୍ରାମକୁ ଲିଜ୍ ଦେବା ପାଇଁ କହିଥିଲେ । ମାତ୍ର ବର୍ତ୍ତମାନକୁ କାଜୁ ନିଗମ ଆମ ଗ୍ରାମକୁ ଲିଜ୍ ନଦେଇ ବାହାର ଲୋକଙ୍କୁ ଲିଜ୍ ଦେଇ ଆମ ଠାରୁ ଆମ ଅଧିକାର ଛଡାଇନେଉଛନ୍ତି । ଏଣୁ ଯଥାଶୀଘ୍ର ଆମ ଗ୍ରାମରେ ଥିବା ୪୦ଟି କୂଅଁରେ ସୋଲାର ପମ୍ପ ଲାଗଇ ଜଳସେଚନ ସୁବିଧା କରିବା ସଂଗେ ସଂଗେ ସରକାରଙ୍କ ବଗାୟତ ରାଇଟ ଆଇନ୍ ବଳରେ ଆମ୍ଭମାନଙ୍କୁ ଆମ କାଜୁ ଜଙ୍ଗଲ ଲିଜ୍ ଦେଲେ ଆମ୍ଭ ମାନଙ୍କ ଉନ୍ନତୀ ହେବ । ଏହି ଦାବୀ ପତ୍ର ପ୍ରଦାନ ବେଳେ ଭିକାରୀପଲ୍ଲୀ ପଂଚାୟତର ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ବୁଧିଆ ପ୍ରଧାନ, ବନମାଳି ପ୍ରଧାନ, କରୁଣା ପ୍ରଧାନ, ଭାସ୍କର ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


