ବିଶ୍ୱ ସ୍ତରରେ ଭାରତୀୟ ବଂଶୋଦ୍ଭବଙ୍କ କୃତିତ୍ୱ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶ୍ୱସ୍ତରରେ ଭାରତୀୟ ବଂଶୋଦ୍ଭବଙ୍କ କୃତିତ୍ୱର ଧାରା ବଜାୟ ରହିଥିବା ବେଳେ ଏଥିରେ ଆଉ ଏକ ପୃଷ୍ଠା ଯୋଡିଛନ୍ତି ଭାରତୀୟ ମହିଳା ବଂଶୋଦ୍ଭବ ସାଲୋନୀ ଉଇନ୍ଷ୍ଟନ । ନ୍ୟୁୟର୍କର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ୱେମେନ୍ ବିଜିନେସ୍ କାଉନ୍ସିଲ୍, କ୍ୟାପିଟାଲ ରିଜନ ଚାମ୍ବର ଦ୍ୱାରା ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ସାମାଜିକ ତଥା ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଉଥିବା ବ୍ୟକ୍ତି ବିଶେଷଙ୍କ ତାଲିକାର ମହିଳା ବର୍ଗରେ ସ୍ଥାନ ପାଇଛନ୍ତି ସାଲୋନୀ । ସେ ମ୍ୟାନେଜ୍ମେଣ୍ଟ୍ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନୀତ ହେଉଥିବା ସ୍ଥଳେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଶ୍ରେଷ୍ଠ ଛଅ ଜଣ ମହିଳାଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ବଂଶୋଦ୍ଭବ ଭାବେ ସ୍ଥାନିତ ହୋଇଛନ୍ତି । ସାଲୋନୀ ୨୦୧୦ ମସିହାରୁ ଏ.ଆର.ସି ଲିଙ୍କଷ୍ଟନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବର୍ତ୍ତମାନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୭ ମସିହାରୁ ଭାରତରୁ ଉଚ୍ଚ ଶିକ୍ଷା ନିମନ୍ତେ ଯାଇ ସାଲୋନୀ ହେଲଥ୍କେୟାର ପରିଚାଳନା କ୍ଷେତ୍ରରେ ଏମ୍.ବି.ଏ.,ଆପ୍ଲାଏଡ୍ କ୍ଲିନିକାଲ ସାଇକୋଲୋଜୀରେ ସ୍ନାତକତ୍ତୋର ଡିଗ୍ରୀ ସଫଳତାର ସହ ଉତୀର୍ଣ୍ଣ ହୋଇଥିବା ସ୍ଥଳେ ମ୍ୟାନେଜ୍ମେଣ୍ଟ୍ କ୍ଷେତ୍ରରେ ବିିଭିନ୍ନ ଅନୁଷ୍ଠାନ ତଥା ବିଭାଗରେ ସଫଳତାର ସହ କାର୍ଯ୍ୟ ସଂପାଦନ କରି ବର୍ତ୍ତମାନ ୧୮୦୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ନେତୃ୍ତ୍ୱ ନେବାରେ ନିଜକୁ ସଫଳ କରାଇପାରିଛନ୍ତି । ପ୍ରକାଶ ଥାଉକି ସାଲୋନୀ ଓଡ଼ିଶାର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ଓ ସୁସଂଗଠିକା ଶ୍ରୀମତୀ ପ୍ରତିଭା ମିଶ୍ରଙ୍କର କନ୍ୟା ଅଟନ୍ତି । ତାଙ୍କର ଏହି ସଫଳତାରେ ଓଡିଶାର ବୁଦ୍ଧିଜୀବି ମହଲ ଆନନ୍ଦ ପ୍ରକାଶ କରିଥିବା ବେଳେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


