ରୋଟାରୀ କ୍ଲବ ପକ୍ଷରୁ ୧୦ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ମାନିତ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର-ଗଞ୍ଜାମ ରୋଟାରୀ କ୍ଲବ ପକ୍ଷରୁ ସଭାପତି ରୋଟାରିଆନ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ୧୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ‘ରାଷ୍ଟ୍ର ନିର୍ମାତା ପୁରସ୍କାର-୨୦୨୬’ରେ ସମ୍ମାନିତ କରାଯାଇଛି। ସମାରୋହରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ସଚ୍ଚିଦାନନ୍ଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ ହୋଇଥିବା ବେଳେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀ ନିଜ କର୍ମକ୍ଷେତ୍ରରେ ସଫଳ ହେଲେ ଜଣେ ଶିକ୍ଷକ ପ୍ରକୃତ ଗୌରବ ଅନୁଭବ କରନ୍ତି ବୋଲି ସେ କହିଥିଲେ। ଛତ୍ରପୁର ଶିକ୍ଷା ଅଧିକାରିଣୀ ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସାମାଜିକ ଓ ମୌଳିକ ଜ୍ଞାନ ପ୍ରଦାନ କରିବା ସହ ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କ ପାଠପଢ଼ା ପ୍ରତି ନଜର ରଖିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ରୀତା ରଥ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ସୁଜାତା ସାହୁ, ସୁଦେଶ୍ନା ବେହେରା, ବ୍ଲେସୀ ପ୍ରଧାନ, ରଶ୍ମିତା ମହାପାତ୍ର, ମଞ୍ଜୁଳା ରାଉଳ, ବିଷ୍ଣୁ ନାରାୟଣ ପଣ୍ଡା, ଚିନ୍ମୟୀ ପଣ୍ଡା ଓ ଆଲୋକ କୁମାର ସେଠୀଙ୍କୁ ରୋଟାରୀ ଇଣ୍ଟରନ୍ୟାସନାଲ (ଭାରତ) ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ଲବର ଉପସଭାପତି ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ରୋଟାରିଆନ ଡ. ଅଜୟ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ରୋଟାରିଆନ ଈ. ନାଗେଶ୍ୱର ରାଓ, ରୋଟାରିଆନ ବାସୁଦେବ ରାଓ, ସୁରଜିତ ସାମନ୍ତରାୟ, ଏସ୍. ରେଖା ମହାନ୍ତି, ପଦ୍ମଚରଣ ସାହୁ, ପ୍ରସନ୍ନ କୁମାର ପତି ଓ ନିରଞ୍ଜନ ପାତ୍ରଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ପାଦକ ରୋଟାରିଆନ ଏମ୍. ଧନଞ୍ଜୟ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରୋଟାରିଆନ ଦ୍ୱାରକା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ